FeaturedLatestNews

ଛିଣ୍ଡିପଡିଥିବା ତାରରେ ପୋଡିଗଲା ୫ ଏକରର ପାଚିଲା ଧାନ

ବାଲେଶ୍ବର (ସଂକେତ ଟିଭି): ରେମୁଣା ବ୍ଲକର ଗୋପାଳପୁର ଥାନା ଅଧୀନରେ ଅବସ୍ଥିତ ତାଳପଦା ଗ୍ରାମର ବିଲରେ ଦୀର୍ଘଦିନ ଧରି ଉପେକ୍ଷିତ ରହିଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡ଼ି ପଡ଼ି ଧାନଗଦାରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାରେ ଗ୍ରାମର ଚାରି ଜଣ ଚାଷୀର ପାଚିଲା ଧାନ ପୁଞ୍ଜି ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇ ପାଉଁଶ ହୋଇଯାଇଛି ଏବଂ ପ୍ରାୟ ତିନି ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ହୋଇଥିବା ଆକଳନ କରାଯାଉଛି।

ତାଳପଦା ଗ୍ରାମର ଶମ୍ବୁନାଥ ବାରିକ, ସୁଶାନ୍ତ ଦାସ, ପିତାମ୍ବର ବାରିକ ଏବଂ ଯଦୁନାଥ ମଳିକଙ୍କ ଜମି ଉପରେ ଦେଇ ଏହି ବିଦ୍ୟୁତ ତାର ଟଣାଯାଇଥିଲା। ଚାଷୀମାନେ କହୁଛନ୍ତି, ବର୍ଷଙ୍କ ଧରି ଏହି ତାର ଜୀର୍ଣ୍ଣ ଅବସ୍ଥାରେ ଥାଇ ସୁଦ୍ଧା ବିଦ୍ୟୁତ ବିଭାଗ ଏହାର ମରାମତି କିମ୍ବା ବଦଳ କରିନାହାନ୍ତି। ଏହି ଉପେକ୍ଷା ଯୋଗୁଁ ଶୁକ୍ରବାର ଦିନ ଗଭୀର ରାତିରେ ବତାସ ବହିବା ସମୟରେ ସେହି କମଜୋର ତାର ଛିଡ଼ି ପଡ଼ି ପାଖରେ ଗଦା କରି ରଖାଯାଇଥିବା ଧାନ ପୁଞ୍ଜିରେ ପଡ଼ିଥିଲା। ଫଳସ୍ୱରୂପ, ଚାରି ଜଣ ଚାଷୀଙ୍କର ପାଞ୍ଚ ଏକର ଜମିରୁ ଅଣାଯାଇଥିବା ଧାନ କଳେଇ ନିଆଁରେ ଭସ୍ମୀଭୂତ ହୋଇଯାଇଛି।

ସକାଳ ହେବାକୁ ଘଟଣାସ୍ଥଳକୁ ପହଞ୍ଚିଥିବା ସ୍ଥାନୀୟ ଲୋକେ ନଷ୍ଟ ହୋଇଥିବା ଧାନ ଦେଖି ଚାଷୀଙ୍କୁ ଖବର ଦେଇଥିଲେ। ଚାଷୀମାନେ ସମ୍ପର୍କିତ ଦମକଳ କେନ୍ଦ୍ରକୁ ତତକ୍ଷଣାତ ସୂଚନା ଦେବାରୁ ଷଠୀ ସ୍ଥିତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅବଶିଷ୍ଟ ଅଗ୍ନି ନିଭାଇଥିଲେ। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗର ଗମ୍ଭୀର ଖାମଖିଆଲି ନୀତି ଉପରେ ତୀବ୍ର ଅଭିଯୋଗ ଉଠାଇଛନ୍ତି। ସେମାନେ କହୁଛନ୍ତି, ବିଭାଗର ଉଦାସୀନତା ଯୋଗୁଁ ଚାରି ପରିବାରର ସାରା ବର୍ଷର ପରିଶ୍ରମ ଓ ଆଶା ମୁହୂର୍ତ୍ତରେ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ କ୍ଷତିପୂରଣ ଏବଂ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କାନୁନୀ କାର୍ଯ୍ୟାନୁଷ୍ଠାନ ନେବା ସହ ତାତକାଳୀନ ଆର୍ଥିକ ସହାୟତା ପାଇଁ ଆବେଦନ କରିଛନ୍ତି।