FeaturedLatestNewsPolitics

ଯୁବ କଂଗ୍ରେସର ମୁଖ୍ୟମନ୍ତ୍ରୀ ନିବାସ ଘେରାଉ ଓ ଅଣ୍ଡା-ମାଡ଼

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୁଙ୍ଖଳା ପରିସ୍ଥିତିକୁ ନେଇ ପ୍ରଦେଶ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଘେରାଉ ପ୍ରଦର୍ଶନ କରି ଯୁବ କଂଗ୍ରେସ କର୍ମୀମାନେ ଅଣ୍ଡା ମାଡ଼ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀ ନିବାସ ଆଗରେ ପହଞ୍ଚିଥିଲେ। ରାଜ୍ୟରେ ବଢୁଥିବା ଅପରାଧ ଏବଂ ଆଇନ ଶୁଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।

ଏହି ସମୟରେ କିଛି କର୍ମୀ ସୁରକ୍ଷା ବଳୟ ଭାଙ୍ଗିବାକୁ ଚେଷ୍ଟା କରିବା ସହ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଥିଲେ। ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ ନାକେଦମ୍ ହୋଇଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଓ ଟଣାଓଟରି ପରିସ୍ଥିତି ସୃଷ୍ଟି ହୋଇଥିଲା।

ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ବହୁ ଯୁବ କଂଗ୍ରେସ ନେତା ଓ କର୍ମୀଙ୍କୁ ଗିରଫ କରିଛି। ଆଇନ ଶୁଙ୍ଖଳା ବିଷୟରେ ରାଜ୍ୟରେ ବଢୁଥିବା ଅସନ୍ତୋଷର ଏହି ଘଟଣା ଏକ ପ୍ରମୁଖ ରାଜନୈତିକ ବିବାଦର ରୂପ ନେଇଛି।