ଲାଞ୍ଚ ନେବା ଅଭିଯୋଗରେ ସେନା ଅଧିକାରୀ ଗିରଫ, ଘରୁ ଜବତ ହେଲା ୨.୩୬ କୋଟି ଟଙ୍କା
ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରତିରକ୍ଷା ମନ୍ତ୍ରଣାଳୟରେ ନିୟୋଜିତ ଜଣେ ସେନା ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଲାଞ୍ଚ ଗ୍ରହଣ ଅଭିଯୋଗରେ ଗିରଫ କରିଛି । ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କ ବିରୁଦ୍ଧରେ ବେଙ୍ଗାଲୁରୁର ଏକ କମ୍ପାନୀରୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେବାର ଅଭିଯୋଗ ହୋଇଛି ।
ସିବିଆଇ ଦଲିଲରେ ଅନୁଯାୟୀ, ଶର୍ମାଙ୍କ ବିରୋଧରେ ପ୍ରତିରକ୍ଷା ଉତ୍ପାଦର ନିର୍ମାଣ ଓ ରପ୍ତାନି ସମ୍ବନ୍ଧୀୟ ଘରୋଇ କମ୍ପାନୀଗୁଡ଼ିକୁ ବେଆଇନ ଭାବେ ଲାଭ ପହଞ୍ଚାଇବାର ଅଭିଯୋଗ ରହିଛି । ତଦନ୍ତ ସମୟରେ ଶର୍ମାଙ୍କ ଘରୁ ୨.୩୬ କୋଟି ଟଙ୍କା ନଗଦ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।
ଏହି ମାମଲାରେ ଶର୍ମାଙ୍କ ପତ୍ନୀ କର୍ଣ୍ଣେଲ କାଜଲ ବାଲି ମଧ୍ୟ ଅଭିଯୁକ୍ତା । ସେ ଶ୍ରୀଗଙ୍ଗାନଗର (ରାଜସ୍ଥାନ)ରେ ଥିବା ଏକ ଡିଭିଜନର କମାଣ୍ଡିଂ ଅଫିସର ଭାବେ କାର୍ଯ୍ୟରତ । ତାଙ୍କ ଘରୁ ମଧ୍ୟ ୧୦ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି । ମାମଲାରେ ମଧ୍ୟସ୍ଥି ବିନୋଦ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ ୨୩ ଡିସେମ୍ବର ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରଖାଯାଇଛି ।
ଖବର ଅନୁଯାୟୀ, ସିବିଆଇକୁ ବେଙ୍ଗାଲୁରୁର ଏକ କମ୍ପାନୀରୁ ସମ୍ଭାବ୍ୟ ଲାଞ୍ଚ ପ୍ରଦାନ ବିଷୟରେ ସୂଚନା ମିଳିଥିଲା, ଯାହାର କାର୍ଯ୍ୟ ରାଜୀବ ଯାଦବ ଓ ରଭଜିତ ସିଂହ ପରିଚାଳନା କରୁଥିଲେ । ଅଭିଯୋଗ ଅନୁଯାୟୀ, ବିନୋଦ କୁମାର ନିଜ କମ୍ପାନୀର ନିର୍ଦ୍ଦେଶରେ ୧୮ ଡିସେମ୍ବରରେ ଶର୍ମାଙ୍କୁ ୩ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ।
ଏହି ସୂଚନା ଆଧାରରେ ସିବିଆଇ ଶ୍ରୀଗଙ୍ଗାନଗର, ବେଙ୍ଗାଲୁରୁ ଓ ଜମ୍ମୁ ସମେତ ଅନେକ ସ୍ଥାନରେ ଚଢ଼ାଉ କରିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ମତରେ, ଦୁର୍ନୀତି ବିରୋଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
