FeaturedLatestNews

ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ: ଆବେଦନ ପାଇଁ ଜାନୁଆରୀ ୩୧ ଯାଏଁ ସୁଯୋଗ

ଭୁବନେଶ୍ୱର (ସଂକେତ ଟିଭି): ଚିଟଫଣ୍ଡ କମ୍ପାନୀଗୁଡ଼ିକରୁ ଟଙ୍କା ଫେରସ୍ତ ପାଇବା ନିମନ୍ତେ ରାଜ୍ୟ ସରକାର ଆଉ ଥରେ କ୍ଷୁଦ୍ର ଜମାକାରୀଙ୍କୁ ସୁଯୋଗ ଦେଇଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୨୦୨୬ ମସିହାର ଜାନୁଆରୀ ୩୧ ତାରିଖ ଯାଏଁ ଏହି ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲିଥିବ।

ତଦନ୍ତ କମିଶନର ସୁପାରିଶ ଅନୁଯାୟୀ ଯେଉଁ କ୍ଷୁଦ୍ର ଜମାକାରୀ ଏଯାଏଁ ନିଜ ରାଶି ଫେରସ୍ତ ପାଇନାହାନ୍ତି, ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ଏଥିସାଥି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଜମାକାରୀଙ୍କୁ ସମ୍ପୂର୍ଣ୍ଣ ଫେରସ୍ତ ମିଳିବ। ଏହିପରି ଅନ୍ୟ ଏକ ଶ୍ରେଣୀରେ, ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହରେ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଏବଂ ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ଆୟତ୍ତଭୂକ୍ତ ହେବେ।

ଜମାକାରୀମାନେ ନିକଟସ୍ଥ ରେଜିଷ୍ଟ୍ରାର କାର୍ଯ୍ୟାଳୟ (ଆରଆଇ)ରେ ଆବଶ୍ୟକୀୟ କାଗଜପତ୍ର ସହିତ ଆବେଦନ କଲେ, ୧୫ ଦିନ ମଧ୍ୟରେ ସେମାନଙ୍କ ଜମା ଟଙ୍କା ଫେରି ପାଇବେ। ଆବେଦନ ପାଇଁ ଆଧାର କାର୍ଡ, ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ, ମୂଳ ଜମା ରସିଦ ଏବଂ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଦାଖଲ କରିବାକୁ ହେବ।

ଅଧିକ ସୂଚନା ପାଇଁ ରାଜ୍ୟ ସରକାରଙ୍କ ଫୋନ୍ ନମ୍ବର ୦୬୭୪-୨୩୯୫୧୫୩ ରେ ଯୋଗାଯୋଗ କରିହେବ। ଜମାକାରୀଙ୍କ ସମ୍ବନ୍ଧିତ ତଥ୍ୟ http://opid.odisha.gov.in ୱେବସାଇଟରେ ଉପଲବ୍ଧ ରହିଛି। ଜିଲ୍ଲା ପ୍ରଶାସନିକ ୱେବସାଇଟଗୁଡ଼ିକରେ ମଧ୍ୟ ଫେରସ୍ତ ପାଇନଥିବା ଜମାକାରୀଙ୍କ ତାଲିକା ରଖାଯାଇଛି। କମ୍ପାନୀ ଆବେଦନ ନମ୍ବର ବ୍ୟବହାର କରି ସେହି ୱେବସାଇଟରେ ଆବେଦନର ସ୍ଥିତି ଯାଞ୍ଚ କରିହେବ। ଟଙ୍କା ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଏହି ସୁଯୋଗର ସଦୁପଯୋଗ କରିବାକୁ ସରକାର ଅନୁରୋଧ କରିଛନ୍ତି।