ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ପାଇଁ ଥାନାରେ ଏତଲା ଦେଲେ ଶେଫାଳି
ଭୁବନେଶ୍ୱର (ସଂକେତ ଟିଭି): କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଏକ ମାସ ବିତିଗଲାଣି । ତଥାପି ତାଙ୍କ ମୃତ୍ୟୁର ପୃଷ୍ଠଭୂମି ନେଇ ଉଠିଥିବା ପ୍ରଶ୍ନଗୁଡିକର ଉତ୍ତର ମିଳିନାହିଁ । ଏହି ପରିପ୍ରେକ୍ଷୀରେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା ପୁଅର ମୃତ୍ୟୁର ଏକ ମାସ ପରେ ଆଜି ପୋଲିସଠାରେ ଏକ ଲିଖିତ ଏତଲା ଦାଖଲ କରିଛନ୍ତି । ଏହି ଏତଲାରେ ତାଙ୍କ ପୁତ୍ରବଧୂ ଶ୍ରେୟା ମିଶ୍ର, ବନ୍ଧୁ ଅର୍ପିତା ଚୌଧୁରୀ, କାର୍ଯ୍ୟକର୍ତ୍ତା ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କୁ ନାମଧାରୀ କରି ସନ୍ଦେହ ପ୍ରକାଶ କରାଯାଇଛି ।
ଏତଲା ଦାଖଲ କରିବା ପରେ ମାଆ ଶେଫାଳି ସୁନା ସାମ୍ବାଦିକମାନଙ୍କୁ ଦାବି କରିଛନ୍ତି ଯେ, ଅର୍ପିତା ଚୌଧୁରୀ ହ୍ୟୁମାନଙ୍କ ସହ ନିୟମିତ ଭାବରେ ରହୁନଥିଲେ ମଧ୍ୟ, ସେ ଅସ୍ପଷ୍ଟ କାରଣରୁ ରାତିରେ ଘରକୁ ଆସୁଥିଲେ ଏବଂ ସକାଳେ ଚାଲିଯାଉଥିଲେ । ସେ କହିଛନ୍ତି, “ମୁଁ ପଚାରିଥିଲି ମଧ୍ୟ ଯେ ତୁ ଘରେ କଣ କାହିକି ଆସିଛୁ । ସେ କହୁଥିଲା ‘ମୁ ଘରେ ସୋ (ଶୋ) ପାଇଁ ଯାଉଛି’ କହି ଆସିଛି ବୋଲି ।”
ଶେଫାଳି ସୁନା ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଦିନେଶ ବେହେରା ହ୍ୟୁମାନଙ୍କ ପ୍ରୋଗ୍ରାମ ବୁକିଂ, ରେକର୍ଡିଂରୁ ପ୍ରାପ୍ତ ଟଙ୍କା ସମେତ ସମସ୍ତ ଆର୍ଥିକ କାରବାର ନିୟନ୍ତ୍ରଣ କରୁଥିଲେ । ସେ କହିଛନ୍ତି, “ପପୁ (ଦିନେଶ) କହୁଥିଲା, ‘ମାଆ, ତମେ ନିଜ ଇଛାରେ ନିଜ କିଛି ଲୁଗା କିଣିଲେ କିଣିବ, ନିଜ ଟଙ୍କାରେ କିନ୍ତୁ ଘର ପାଇଁ ଯାହା ସବୁ ଦରକାର ସେ ସବୁ ମତେ କହିବ।’ ସେଥିରୁ ମୁ ଜାଣିଲି ଯେ ସେହି ସବୁ ଟଙ୍କା ରଖୁଛି।” ତାଙ୍କ ମତରେ, ୨୦୨୩ ପରଠାରୁ ହ୍ୟୁମାନଙ୍କ ଟଙ୍କା ସବୁ ଦିନେଶଙ୍କ ପାଖରେ ରହିଛି ଏବଂ ହ୍ୟୁମାନ ନିଜେ ନିଜର କାର୍ଯ୍ୟକ୍ରମ ତାରିଖ ବାବଦରେ ଅସ୍ପଷ୍ଟ ଥିଲେ ।
ଶେଫାଳି ସୁନା ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଲକ୍ଷ୍ୟ କୌଣସି ବ୍ୟକ୍ତିବିଶେଷକୁ ଦୋଷୀ ସାବ୍ୟସ୍ତ କରିବା ନୁହେଁ, ବରଂ ଘଟଣାର ସତ୍ୟ ଉଦ୍ଘାଟନ କରିବା । ସେ କହିଛନ୍ତି, “ମୁଁ ଚାହୁଁଛି ଯିଏ ଦୋଷୀ ସେ ସମ୍ମୁଖକୁ ଆସୁ… ମୁଁ ଚାହୁଁଛି ଲୋକ ଜାଣନ୍ତୁ ତା ପାଇଁ ମୋ ପୁଅ ଜୀବନ ଗଲା।” ସେ ଆହୁରି କହିଛନ୍ତି ଯେ ହ୍ୟୁମାନ ବାପା, ଭାଇ ଓ ମାମୁଙ୍କ ବିୟୋଗ, ପତ୍ନୀଠାରୁ ଅଲଗା ହେବା ଏବଂ ପରେ ଅର୍ପିତାଙ୍କଠାରୁ ଦୂରେଇ ଯିବା ପରି ଘଟଣାଗୁଡିକ ତାଙ୍କୁ ମାନସିକ ଭାବରେ ଦୁର୍ବଳ କରିଥିଲା ।
ଶେଫାଳି ସୁନା ସାମାଜିକ ମାଧ୍ୟମର ଏକ ବିରୋଧୀ ଭୂମିକା ଉପରେ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି । ତାଙ୍କ ମତରେ, ଅର୍ପିତା ଚୌଧୁରୀ ସମେତ ଅନ୍ୟ କେତେକ ବ୍ୟକ୍ତି ହ୍ୟୁମାନଙ୍କୁ ସୋସିଆଲ ମିଡ଼ିଆରେ ରୋଷ୍ଟ (ବ୍ୟଙ୍ଗ) କରି, ତାଙ୍କ ବିରୁଦ୍ଧରେ ଗଞ୍ଜେଇ ଟାଣିବା, ମଦପାନ କରିବା ଓ ଗୀତ ଗାଇପାରୁନଥିବାର ଅଭିଯୋଗ କରି ତାଙ୍କ ମାନସିକ ସ୍ଥିତିକୁ ଆହୁରି ଜଟିଳ କରିଥିଲେ । ଏହି ସମସ୍ତ କାରକଗୁଡିକ ମିଶି ହ୍ୟୁମାନଙ୍କୁ ଗଭୀର ମାନସିକ ଚାପ ତଳେ ରଖିଥିବା ବିଷୟରେ ଶେଫାଳି ସୁନା ପୋଲିସକୁ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।
