ଅନୁ ଗର୍ଗ ହେବେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର (ସଂକେତ ଟିଭି): ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀମତୀ ଅନୁ ଗର୍ଗ ଓଡ଼ିଶା ସରକାରର ନୂତନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୫ରୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ୩୧ ଡିସେମ୍ବରରେ ସମାପ୍ତ ହେବ, ଯାହାପରେ ଶ୍ରୀମତୀ ଗର୍ଗ ପଦଗ୍ରହଣ କରିବେ।
୧୯୯୧ ବ୍ୟାଚର ଓଡ଼ିଶା-କ୍ୟାଡରର ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବାର ଗୌରବ ଅର୍ଜନ କରିଛନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଏବଂ ଯୋହନ୍ସ ହପ୍କିନ୍ସ୍ ବ୍ଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ରୁ ମାଷ୍ଟର ଅଫ୍ ପବ୍ଲିକ୍ ହେଲଥ୍ ଡିଗ୍ରୀ ଲାଭ କରିଥିବା ଶ୍ରୀମତୀ ଗର୍ଗ ବର୍ତ୍ତମାନ ରାଜ୍ୟ ଉନ୍ନୟନ ଆୟୋଗର ମୁଖ୍ୟ ସଚିବ ତଥା ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ।
ତାଙ୍କ ପ୍ରଶାସନିକ ଯାତ୍ରା ୧୯୯୩ରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଭାବେ ଆରମ୍ଭ ହୋଇଥିଲା। ଏହାପରେ ସେ କଳାହାଣ୍ଡି ଉପଜିଲ୍ଲାପାଳ, ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ, ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ନିର୍ବାହ କରିଛନ୍ତି।
କୋଭିଡ୍-୧୯ ସଂକଟ କାଳୀନ ପରିଚାଳନା, ପୁରୀ ଶ୍ରୀଗୁଣ୍ଡିଚା ଘଟଣା ତଦନ୍ତ କମିଟିର ଅଧ୍ୟକ୍ଷତା ଭଳି ସଙ୍କଟାପନ୍ନ ପରିସ୍ଥିତିରେ ତାଙ୍କର ନେତୃତ୍ୱ ଓ ଦକ୍ଷତା ରାଜ୍ୟ ସରକାରଙ୍କୁ ପ୍ରଭାବିତ କରିଥିଲା। ଉତ୍କର୍ଷତା ପାଇଁ ଜନ୍ ସି. ହ୍ୟୁମ୍ ପୁରସ୍କାରଦ୍ୱାରା ସମ୍ମାନିତ ଶ୍ରୀମତୀ ଗର୍ଗ ଆଉ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ବୋଲି ଆଶା କରାଯାଉଛି। ଏହି ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରଙ୍କ ଏକ ପ୍ରମୁଖ ନିର୍ଣ୍ଣୟ ଭାବେ ଦେଖାଯାଉଛି।
