FeaturedLatestNews

ଫେବ୍ରୁଆରୀ ୧ରୁ ଲାଗୁ ହେବ ପ୍ରଦୂଷଣ ସାର୍ଟିଫିକେଟ୍ ବିନା ପେଟ୍ରୋଲ ମନା ନିୟମ

ଭୁବନେଶ୍ୱର (ସଂକେତ ଟିଭି): ପ୍ରଦୂଷଣ ସାର୍ଟିଫିକେଟ୍ ନଥିବା ଗାଡ଼ିମାନଙ୍କୁ ଇନ୍ଧନ ଦେବା ଉପରେ ଲଗାଯିବା ମନା ନିଷ୍ପତ୍ତି ଆଉ ଏକ ମାସ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏହି ନିୟମ ପୂର୍ବରୁ ଜାନୁଆରୀ ମାସରୁ ଲାଗୁ କରାଯିବା ନିଷ୍ପତ୍ତି ହୋଇଥିଲା । ଜାନୁଆରୀ ପରିବର୍ତ୍ତେ ବର୍ତ୍ତମାନ ଫେବ୍ରୁଆରୀ ମାସ ୧ ତାରିଖରୁ ଯାଞ୍ଚ କାର୍ଯ୍ୟକ୍ରମ କଡ଼ାକଡ଼ି ଭାବରେ ଲାଗୁ ହେବ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ବ୍ୟବସ୍ଥା ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ଘୁଞ୍ଚାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଲାଗୁ ତାରିଖକୁ ଫେବ୍ରୁଆରୀ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏହି ଅତିରିକ୍ତ ସମୟ ମଧ୍ୟରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ସମସ୍ତ ମୋଟର ଯାନମାନେ ଆଇନ ଅନୁଯାୟୀ ଯାଞ୍ଚ କରାଇ ନେବାକୁ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ମାସେ ସମୟ ଅଧିକ ମିଳିଥିବାରୁ ଲୋକେ ବିବ୍ରତ ନ ହୋଇ ସୁବିଧାରେ ସେମାନଙ୍କର ଯାନର ଯାଞ୍ଚ କରାଇ ପାରିବେ ବୋଲି ଆଶା କରାଯାଉଛି ।

ଫେବ୍ରୁଆରୀ ୧ ତାରିଖ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପ ପକ୍ଷରୁ ପ୍ରଦୂଷଣ ସାର୍ଟିଫିକେଟ୍ ନଥିବା ଗାଡ଼ିମାନଙ୍କୁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ । ଏହି ସମୟ ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତରେ ନିଆଯିବା ନିଷ୍ପତ୍ତି ହୋଇଛି ।