FeaturedLatestNews

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ରେଡ୍ ଫ୍ଲାଗ୍ ମାମଲା ଭାବେ ହେଲା ଅନ୍ତର୍ଭୁକ୍ତ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟାର ମାମଲାକୁ ରେଡ୍ ଫ୍ଲାଗ୍ ମାମଲା ଭାବରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଘଟଣା ସମ୍ବନ୍ଧରେ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତି ସୂଚନା ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କୁ ଦିଆଯାଇଥିଲା । ମୁଖ୍ୟ ଅଭିଯୁକ୍ତ ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁକୁ ଜଗତସିଂହପୁରରୁ ଚାନ୍ଦବାଲି ଥାନା ପୋଲିସ ଗିରଫ କରିଛି । ଡିଜିପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ମାମଲାରେ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ ।

ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ଡିଜିପି କହିଛନ୍ତି ଯେ ମାମଲାର ତ୍ବରିତ ଓ ଯଥାର୍ଥ ତଦନ୍ତ କରାଯିବା ଉପରେ ଗୁରୁତ୍ଵ ଦିଆଯାଉଛି । ସମସ୍ତ ସାଇଣ୍ଟିଫିକ୍ ପ୍ରମାଣ ଯୋଗାଡ କରାଯିବା ଆବଶ୍ୟକ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମଙ୍ଗଳବାର ଚାନ୍ଦବାଲି ବାଲିଗାଁଠାରେ ଜଣେ ୧୦ ବର୍ଷିଆ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଲଜ୍ଜାଜନକ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଲୋକେ ଅଭିଯୁକ୍ତର ତ୍ବରିତ ଗିରଫକୁ ଦାବି କରି ରାସ୍ତା ଅବରୋଧ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

ଏହି ଘଟଣାକୁ ନେଇ ରାଜନୈତିକ ଦଳମାନେ ମଧ୍ୟ ସକ୍ରିୟ ହୋଇଛନ୍ତି । ବିଜେଡି ପକ୍ଷରୁ ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଚାନ୍ଦବାଲି ବଜାରରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଏହି ସମୟରେ କର୍ମୀମାନେ ଟାୟାର ଜାଳି ରାସ୍ତାରେ ବସିଥିଲେ ଏବଂ ପିକେଟିଂ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ପକ୍ଷ ଦିଗମ୍ବର ଦାସଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ବନ୍ଦ ଡାକି ଘଟଣାର ନିନ୍ଦା କରିଥିଲେ ଏବଂ ସରକାରୀ ବ୍ୟବସ୍ଥାରେ ବିଫଳତାକୁ ସମାଲୋଚନା କରିଥିଲେ । ସେପଟେ ବାମଦଳ ପକ୍ଷରୁ ମଧ୍ଯ ଏହି ବନ୍ଦ ପାଳନ କରାଯାଇଥିଲା ।