ଭଦ୍ରକରେ ପୁଣି ଲଜ୍ଜା: ଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ଧାମରା ଥାନା ଅନ୍ତର୍ଗତ ଧାମରା ପଞ୍ଚାୟତ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉଭୟ ଏକା ଗାଁର ବୋଲି ଜଣାପଡିଛି । ଏହି ଘଟଣା ଚାନ୍ଦବାଲିର ନାବାଳିକା ହତ୍ୟା ମାମଲା ପରି ଆଉ ଏକ ମର୍ମନ୍ତୁଦ ଘଟଣା ଭାବେ ଚିହ୍ନିତ ହୋଇଛି ।
ଘଟଣା ପରେ ଲୋକଲଜ୍ଜା ଓ ସାମାଜିକ ଭୟରେ ପୀଡ଼ିତା ଯୁବତୀ ବିଷପାନ କରି ଆତ୍ମହତ୍ୟାର ଚେଷ୍ଟା କରିଛନ୍ତି । ତାଙ୍କୁ ପ୍ରଥମେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ପୀଡ଼ିତାଙ୍କ ମା’ ଧାମରା ଥାନାରେ ଏହି ଅଭିଯୋଗ ଦାୟର କରିଛନ୍ତି । ପରିବାରର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଗଭୀର ତଦନ୍ତ ପାଇଁ ପୋଲିସ ଅଧିକ ଛାନବିନ ଚଳାଉଛନ୍ତି ବୋଲି ସୂଚନା ମିଳିଛି ।
