ଆଗାମୀ ଶହେ ବର୍ଷ ଯାଏଁ ବିଜେଡି ରହିବ: ନବୀନଙ୍କ ଦୃଢ଼ ଘୋଷଣା
ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି) ଆଜି ତାହାର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିରୋଧୀ ଦଳମାନଙ୍କୁ କଡ଼ା ଜବାବ ଦେଇ ଦୃଢ଼ତାର ସହିତ ଘୋଷଣା କରିଛନ୍ତି ଯେ ବିଜେଡି ଅଛି, ରହିବ ଏବଂ ଶହେ ବର୍ଷ ଧରି ଓଡ଼ିଆଙ୍କ ସ୍ୱର ହୋଇ ରହିବ।
ସେ କହିଛନ୍ତି, “କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି ଓ ରହିବ। ବିଜେଡି ଶହେ ବର୍ଷ ଓଡ଼ିଶାବାସୀଙ୍କ ସ୍ୱର ହୋଇ ରହିବ।” ନବୀନ ଜୋର୍ ଦେଇ କହିଛନ୍ତି ଯେ ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ ରହିଛି ଏବଂ ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣ ଯୋଗୁଁ ଏହା ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇପାରିଛି।
ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ, ସେ ସମସ୍ତ କର୍ମୀଙ୍କୁ ‘ସେବା, ସ୍ୱାଭିମାନ ଓ ସଂଗ୍ରାମ’ ର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଛନ୍ତି।
ଏହି ସଭାରେ ନବୀନ ପଟ୍ଟନାୟକ ବର୍ତ୍ତମାନର ଡବଲ୍ ଇଞ୍ଜିନ ସରକାରକୁ ଟାର୍ଗେଟ୍ କରି ତୀବ୍ର ଆକ୍ରୋଶ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “୧୮ ମାସରେ ସରକାର ଥିବା ଭଳି ଲାଗୁନି। ଡବଲ ଇଞ୍ଜିନ ସରକାରରେ ବିକାଶ ନାହିଁ। ଚାଷୀଙ୍କୁ ସାର ମିଳୁନି, ଧାନ ମଣ୍ଡି ଖୋଲୁନି। ମିଶନ ଶକ୍ତି ମା’ମାନେ ହଇରାଣ ହେଉଛନ୍ତି ଏବଂ ଯୁବ ସମାଜ ହତାଶ ହୋଇପଡ଼ିଛି।”
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ଅବସ୍ଥା ଚିନ୍ତାଜନକ ଏବଂ ମହିଳା ଉପରେ ଅତ୍ୟାଚାରର ଘଟଣା ବଢିବାରେ ଲାଗିଛି। ନବୀନଙ୍କ ଏହି ମତବାଦରେ ବର୍ତ୍ତମାନର କେନ୍ଦ୍ର-ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଟଙ୍କା ଯାଇଛି।
