ବାଲେଶ୍ବର ହୋଟେଲ ରୁମରେ ଯୁବକଙ୍କ ହତ୍ୟା ଘଟଣାରେ ବନ୍ଧୁ ଓ ପ୍ରେମିକା ଗିରଫ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ସହରର ସୁରଜ ହୋଟେଲରେ ଜଣେ ଯୁବକଙ୍କୁ କରାଯାଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଅନୈତିକ ସଂପର୍କକୁ ନେଇ ତାଙ୍କ ବନ୍ଧୁ ଓ ଜଣେ ଯୁବତୀ ମିଳିତ ଭାବେ ଏହି ହତ୍ୟା କରିଥିବା ଜଣାପଡିଛି । ସହଦେବଖୁଣ୍ଟା ଥାନା ଅଧୀନ ସୁରଜ ହୋଟେଲର ୫୦୨ ନମ୍ବର କୋଠରୀରୁ ଆକାଶ ମହାନ୍ତ (୨୭)ଙ୍କ ମୃତଦେହ ଉଦ୍ଧାର ପରେ ଏହି ମାମଲା ସାମନାକୁ ଆସିଥିଲା ।
ଘଟଣା ସମ୍ପର୍କରେ ଆକାଶଙ୍କ ପତ୍ନୀ ଜୟନ୍ତୀ ସାହୁ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ୨୫ ଡିସେମ୍ବର ସକାଳେ ଆକାଶ ତାଙ୍କ ବନ୍ଧୁ ରାମଚନ୍ଦ୍ର ସିଂହଙ୍କ ସହିତ ଘରୁ ହୋମଗାର୍ଡ ପରୀକ୍ଷାର ଅଡମିଟ କାର୍ଡ ସମ୍ପର୍କରେ ବେତନଟୀ ଥାନା ଯିବା ପାଇଁ ବାହାରିଥିଲେ । ସେଠାରେ ରାମଚନ୍ଦ୍ରଙ୍କ କାର୍ଡ ବାତିଲ ହୋଇଥିବା ଜାଣି ଉଭୟ ବାଲେଶ୍ୱର ଯିବାକୁ କହି ଫେରି ନଥିଲେ । ପରବର୍ତ୍ତୀ ସମୟରେ ଆକାଶଙ୍କ ଫୋନ୍ ବନ୍ଦ ଥିବାରୁ ସନ୍ଦେହରେ ପଡ଼ି ଜୟନ୍ତୀ ରାମଚନ୍ଦ୍ରଙ୍କୁ ଫୋନ୍ କଲେ, ଯେଉଁଥିରେ ସେ ଅସ୍ପଷ୍ଟ ଉତ୍ତର ଦେଇଥିଲେ । ଶେଷରେ ୨୭ ତାରିଖ ସକାଳେ ବାଲେଶ୍ୱରର ଏକ ହୋଟେଲରେ ତାଙ୍କ ସ୍ୱାମୀଙ୍କ ମୃତଦେହ ରହିଥିବା ଖବର ପାଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ରାମଚନ୍ଦ୍ର ସିଂହ ଓ ଅନ୍ୟମାନେ ମିଶି ହତ୍ୟା କରିଛନ୍ତି ।
ପୋଲିସ ତଦନ୍ତରେ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ତଦନ୍ତରୁ ଜଣା ଯାଇଛି ଯେ ହତ୍ୟାରେ ଜଡ଼ିତ ଯୁବତୀ ମିନା ଉର୍ଫ ଜେମାମଣି ସିଂହ ଏବଂ ରାମଚନ୍ଦ୍ର ସିଂହ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା । ଜେମାମଣି ତାଙ୍କ ଦୁଇ ପୁଅକୁ ବାଡ଼ଜମ୍ବାଣି ଗାଁରେ ଛାଡ଼ି ଯାଜପୁରରେ କାମ କରୁଥିଲେ ଏବଂ ରାମଚନ୍ଦ୍ର ସେମାନଙ୍କ ଯତ୍ନ ନେଉଥିଲେ । ୨୫ ତାରିଖ ଅପରାହ୍ନରେ ଆକାଶ ଓ ରାମଚନ୍ଦ୍ର ବେତନଟୀରୁ ଜେମାମଣିଙ୍କୁ ଆଣି ବାଲେଶ୍ୱର ବସ୍ ଷ୍ଟାଣ୍ଡ ଆସିବା ପରେ ଉଭୟେ ମଦପାନ କରି ସୁରଜ ହୋଟେଲର ୫୦୨ ନମ୍ବର କୋଠରୀ ଭଡ଼ା ନେଇଥିଲେ ।
ପୋଲିସ ତଦନ୍ତରୁ ଜଣା ଯାଇଛି ଯେ ହୋଟେଲ କୋଠରୀରେ ମଦପାନ ପରେ ଆକାଶ ରାମଚନ୍ଦ୍ର ଓ ଜେମାମଣିଙ୍କ ଯୌନ ସମ୍ପର୍କ ବିଷୟରେ ପ୍ରଶ୍ନ ଉଠାଇଥିଲେ । ଏଥିରେ ବିବାଦ ସୃଷ୍ଟି ହେବା ପରେ ଆକାଶ ଜେମାମଣିଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ଜିଦ୍ ଧରିବାରୁ ରାମଚନ୍ଦ୍ର ବାଧା ଦେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ମାଡପିଟ୍ ଆରମ୍ଭ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣରୁ ବାହାରି ଯିବାରୁ ରାମଚନ୍ଦ୍ର ଆକାଶଙ୍କ ଛାତିରେ ବସି ତାଙ୍କ ଗୋଡ଼ ଧରି ରହିଥିବା ଜେମାମଣିଙ୍କ ସହ ମିଶି ଆକାଶଙ୍କ ଗଳା ଟିପି ହତ୍ୟା କରିଥିଲେ ।
ଘଟଣା ପରେ ଉଭୟ ଆରୋପୀ ପଳାୟନ କରିଥିଲେ । ପୋଲିସ ତଦନ୍ତ କରି ପ୍ରଥମେ ବେତନଟୀ ଅଞ୍ଚଳରୁ ରାମଚନ୍ଦ୍ର ସିଂହ (୨୨)ଙ୍କୁ ଓ ପରେ ଜାଜପୁର ଜିଲ୍ଲାରୁ ମିନା ଓରଫ ଜେମାମଣି ସିଂହ (୨୭)ଙ୍କୁ ଗିରଫ କରିଛି । ଉଭୟ ଆରୋପୀ ବାଡ଼ଜମ୍ବାଣି ଗ୍ରାମର ବାସିନ୍ଦା ବୋଲି ଜଣାଯାଇଛି ।
