ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ଦେହାନ୍ତ
ଢାକା (ସଂକେତ ଟିଭି): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନାଶନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ବେଗମ ଖାଲିଦା ଜିଆ ମଙ୍ଗଳବାର ସକାଳ ୬ଟାରେ ନିଧନ ହୋଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଖାଲିଦା ଜିଆଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ସେ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଲିଭର ଜନିତ ରୋଗ, ଆର୍ଥାଇଟିସ, ଡାଇବେଟିସ ଏବଂ ଛାତି ତଥା ହାର୍ଟ ଜନିତ ରୋଗରେ ଆକ୍ରାନ୍ତ ଥିଲେ ।
ବାଂଲାଦେଶ ନାଶନାଲ ପାର୍ଟି ତାଙ୍କର ମୃତ୍ୟୁ ସ୍ପଷ୍ଟ କରି ସୋସିଆଲ ମିଡିଆରେ ଲେଖିଛି ଯେ, ସକାଳ ପାଖାପାଖି ୬ଟାରେ ଫଜ୍ର ନମାଜ ପରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୩ ତାରିଖରୁ ଖାଲିଦା ଜିଆଙ୍କର ଢାକାସ୍ଥିତ ଏଭରକେୟାର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା ଏବଂ ଡିସେମ୍ବର ୧୧ ତାରିଖରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ।
ବେଗମ ଖାଲିଦା ଜିଆ ୧୯୪୫ ଅଗଷ୍ଟ ୧୫ ତାରିଖରେ ପୂର୍ବ ବଙ୍ଗର ଦିନାଜପୁର (ସେତେବେଳେ ଭାରତ, ଏବେ ବାଂଲାଦେଶ)ରେ ଜନ୍ମଗ୍ରହଣ କରିଥିଲେ । ସେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଦୁଇଥର ଦାୟିତ୍ୱ ତୁଲାଇଥିଲେ – ୧୯୯୧ରୁ ୧୯୯୬ ଏବଂ ପୁନର୍ବାର ୨୦୦୧ରୁ ୨୦୦୬ ଯାଏଁ । ଦୀର୍ଘ ବର୍ଷ ଧରି ସେ ବାଂଲାଦେଶ ରାଜନୀତିରେ ସକ୍ରିୟ ଥିଲେ ଏବଂ ଅନେକ ଥର କାରାବରଣ ମଧ୍ୟ କରିଥିଲେ ।
ତାଙ୍କର ବିବାହ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ନେତା ଏବଂ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଜିଆ ଉର ରେହମାନଙ୍କ ସହ ହୋଇଥିଲା । ଜିଆ ଉର ରେହମାନ ୧୯୭୮ରେ ବାଂଲାଦେଶ ନାଶନାଲ ପାର୍ଟି ଗଠନ କରିଥିଲେ ଏବଂ ୧୯୮୧ରେ ହତ୍ୟାର ଶିକାର ହୋଇଥିଲେ । ଖାଲିଦା ଜିଆଙ୍କର ଦୁଇଜଣ ପୁଅ ଅଛନ୍ତି – ତାରିକ ରେହମାନ (୬୦) ଯିଏକି ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ଆସନ୍ତା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦର ମୁଖ୍ୟ ଦାବିଦାର, ଏବଂ ଅରଫାନ ରେହମାନ ।
ବେଗମ ଖାଲିଦା ଜିଆଙ୍କ ଦେହାନ୍ତ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ (ପୂର୍ବତନ ଟ୍ୱିଟର)ରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକ ସନ୍ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଏନପି ଅଧ୍ୟକ୍ଷା ବେଗମ ଖାଲେଦା ଜିଆଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ… ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ, ବାଂଲାଦେଶର ବିକାଶ ଏବଂ ଭାରତ-ବାଂଲାଦେଶ ସମ୍ପର୍କ ପ୍ରତି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସର୍ବଦା ମନେ ରହିବ । ମୁଁ ୨୦୧୫ ମସିହାରେ ଢାକାରେ ତାଙ୍କ ସହ ମୋର ସାକ୍ଷାତକୁ ମନେ ପକାଉଛି ।”
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ତାଙ୍କର ଦୃଷ୍ଟିକୋଣ ଏବଂ ଐତିହ୍ୟ ଭାରତ-ବାଂଲାଦେଶ ସମ୍ପର୍କକୁ ମାର୍ଗଦର୍ଶନ ଦେବ ବୋଲି ଆଶା କରାଯାଏ । ବିଏନପି ପକ୍ଷରୁ ମଧ୍ୟ ସମସ୍ତଙ୍କୁ ତାଙ୍କ ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି ।
