ନବନିଯୁକ୍ତ ୧୫୪୩ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୧ଟି ବିଭାଗରେ ଚୟନିତ ୧୫୪୩ ଜଣ ପ୍ରତିଭାବାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ମଙ୍ଗଳବାର ଭୁବନେଶ୍ୱର ରେଳ ଅଡିଟୋରିୟମରେ ଅନୁଷ୍ଠିତ ଏହି ୧୪ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ରାଜ୍ୟର ପଞ୍ଚମ ବୃହତ୍ତମ ନିଯୁକ୍ତି ମେଳା। ସରକାର ଏଯାଏଁ ୩୯,୪୫୯ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିସାରିଛନ୍ତି।
ପାଞ୍ଚ ବର୍ଷରେ ଦେଢ଼ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେବାର ପ୍ରତିଶୃତି ସ୍ମରଣ କରାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ପ୍ରଥମ ଦୁଇ ବର୍ଷ ପାଇଁ ୬୫ ହଜାର ଲକ୍ଷ ରଖିଥିଲୁ। ଆଉ ଏବେ ସୁଦ୍ଧା ୪୦ ହଜାର ନିଯୁକ୍ତି ଦେଇସାରିଛୁ। ଦୁଇ ବର୍ଷ ଶେଷ ସୁଦ୍ଧା ଆମେ ଆମ ଲକ୍ଷ ପୂରଣ କରିବୁ।”
କାର୍ଯ୍ୟକ୍ରମରେ କ୍ରୀଡ଼ା ଶିକ୍ଷକଙ୍କୁ ଲକ୍ଷ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କୁ ଅଲିମ୍ପିକ୍ ପଦକ ଜିତାଇବା ପାଇଁ ଏକ ଲକ୍ଷ୍ୟ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯାହା ପୂର୍ବରୁ ଦର୍ଶାଇଥିଲେ, ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଦୋହରାଇ ସେହି ଦାୟିତ୍ୱ କ୍ରୀଡ଼ା ଶିକ୍ଷକମାନଙ୍କୁ ଦେଇଛନ୍ତି।
ଏହି ନିଯୁକ୍ତି ମେଳାରେ ବିଭିନ୍ନ ବିଭାଗ ଅନୁଯାୟୀ ବଣ୍ଟନ କରାଯାଇଥିବା ନିଯୁକ୍ତି ପତ୍ରର ବିବରଣୀ ହେଉଛି: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୭୫୫ ଜଣ, କୃଷି ବିଭାଗ ପାଇଁ ୩୯୨ ଜଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ୧୧୬ ଜଣ, ଅର୍ଥ ବିଭାଗ ପାଇଁ ୧୨୧ ଜଣ, ଶ୍ରମ ବିଭାଗ ପାଇଁ ୧୦୬ ଜଣ, ସମବାୟ ବିଭାଗ ପାଇଁ ୧୫ ଜଣ, ପର୍ଯ୍ୟଟନ ବିଭାଗ ପାଇଁ ୧୮ ଜଣ, ସ୍ୱରାଷ୍ଟ୍ର ବିଭାଗ ପାଇଁ ୬ ଜଣ, ଯୋଗାଣ ବିଭାଗ ପାଇଁ ୫ ଜଣ, ଯୋଜନା ଓ ସଂଯୋଜନା ବିଭାଗ ପାଇଁ ୮ ଜଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ୧ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଦି ଉପସ୍ଥିତ ଥିଲେ।
