ଶ୍ରୀମନ୍ଦିରରେ ନବବର୍ଷ ଦର୍ଶନ ପାଇଁ ଜବରଦସ୍ତ ସୁରକ୍ଷା ବ୍ୟବସ୍ଥା, ମଧ୍ୟରାତ୍ର ୨ଟାରେ ଦ୍ୱାରଫିଟା
ପୁରୀ (ସଂକେତ ଟିଭି): ଆସନ୍ତା ୨୦୨୬ ନବବର୍ଷରେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଏକ ସୁନ୍ଦର ଜୀବନ ଆରମ୍ଭ କରିବା ଲକ୍ଷ୍ୟରେ ଲକ୍ଷାଧିକ ଭକ୍ତ ପୁରୀ ଶ୍ରୀମନ୍ଦିରକୁ ଆସିବାର ସମ୍ଭାବନା ରହିଛି । ଏହି ବିରାଟ ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭକ୍ତମାନେ କିପରି ସୁରକ୍ଷିତ ଭାବେ ଧାଡ଼ିରେ ଦର୍ଶନ କରିପାରିବେ ତଥା ବରିଷ୍ଠ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଡିସେମ୍ବର ୩୧ ତାରିଖ ରାତି ୧୧ଟାରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ । ତା’ପରଦିନ ୧ ଜାନୁଆରୀ ମଧ୍ୟରାତ୍ର ୨ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ଦର୍ଶନ ଆରମ୍ଭ ହେବ । ଭକ୍ତଙ୍କ ପାଇଁ ମାର୍କେଟ୍ ଛକଠାରୁ ବ୍ୟାରିକେଡ୍ ସହ ସେଡ୍ ବ୍ୟବସ୍ଥା ରହିବ । କେବଳ ସିଂହଦ୍ୱାର ଦେଇ ପ୍ରବେଶ ଏବଂ ଅନ୍ୟ ତିନିଟି ଦ୍ୱାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା ରହିଛି । ବରିଷ୍ଠ ଓ ଦିବ୍ୟାଙ୍ଗ ଭକ୍ତଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି ଦିଆଯିବ ।
ପ୍ରବଳ ଭିଡ଼ର ଆଶଙ୍କା ଦୃଷ୍ଟିରେ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମଗ୍ର ଶ୍ରୀକ୍ଷେତ୍ର ସିସିଟିଭି ବଳୟ ମଧ୍ୟରେ ରହିଛି । ଏଥିପାଇଁ ୨ ଜଣ କମାଣ୍ଡାଣ୍ଟ, ୧୩ ଜଣ ଅତିରିକ୍ତ ଏସ୍ପି, ୪୩ ଜଣ ଡିଏସ୍ପି, ୮୭ ଜଣ ଇନ୍ସପେକ୍ଟର, ୨୪୬ ଜଣ ଏସ୍ଆଇ/ଏଏସ୍ଆଇ ଏବଂ ୭୦ ପ୍ଲାଟୁନ୍ ପୋଲିସ୍ ବଳ ମୁତୟନ କରାଯାଇଛି ।
ଯାନବାହନ ପାର୍କିଂ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି । ଭୁବନେଶ୍ୱର ପଟରୁ ଆସୁଥିବା ଗାଡ଼ିମାନ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଓ ଜେଲ୍ ରୋଡ୍ ପାର୍କିଂରେ ରଖିପାରିବେ । ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ଷ୍ଟର୍ଲିଂ ଛକ ଓ ଯାତ୍ରୀକା ପାର୍କିଂରେ ରଖିହେବ । କୋଣାର୍କ ପଟରୁ ଆସୁଥିବା ଯାନଗୁଡ଼ିକ ତାଳବଣିଆ ପଡ଼ିଆରେ ପାର୍କିଂ କରିପାରିବେ । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇଦିନ ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ରହିବ । ଏହା ସହ ବଡ଼ଦାଣ୍ଡ ମାର୍କେଟ୍ ଛକଠାରୁ ଶ୍ରୀମନ୍ଦିର ଯାଏଁ ଯାନବାହନ ପ୍ରବେଶ ନିଷେଧ କରାଯାଇଛି ।
ଅନ୍ୟପଟେ, ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପୁରୀକୁ ବହୁ ପର୍ଯ୍ୟଟକ ଆସିସାରିଛନ୍ତି । ବିଭିନ୍ନ ହୋଟେଲ୍ରେ ଡିଜେ ନାଇଟ୍, ବଲିଉଡ୍-ଓଡ଼ିଆ ସଙ୍ଗୀତ କାର୍ଯ୍ୟକ୍ରମ ଓ ରଙ୍ଗାରଙ୍ଗ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଦେଶୀ-ବିଦେଶୀ ଖାଦ୍ୟରେ ପର୍ଯ୍ୟଟକଙ୍କୁ ଆପ୍ୟାୟିତ କରାଯିବ ।
ଏହି କଡ଼ାରେ, ଡିସେମ୍ବର ୩୧ ରାତିରେ ପହୁଡ଼ ନ କରାଯିବା ସମ୍ବନ୍ଧରେ ପରିଚାଳନା କମିଟି ସଦସ୍ୟଙ୍କ ଚିଠି ପରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି ଯେ ୩୧ ଡିସେମ୍ବର ରାତି ୧୧ଟାରେ ନିୟମିତ ପହୁଡ଼ ନୀତି ଅନୁଷ୍ଠିତ ହେବ ଏବଂ ତା’ପରେ ମଧ୍ୟରାତ୍ର ୨ଟାରେ ଦ୍ୱାରଫିଟା ହେବ । ଏହି ନିଷ୍ପତ୍ତିକୁ ସେବାୟତ ଓ ଭକ୍ତମାନେ ସ୍ବାଗତ କରିଛନ୍ତି ।
