CrimeLatestNews

ଭଦ୍ରକରେ ଦୁଇ ଗୋଷ୍ଠୀ କିନ୍ନରଙ୍କ ମଧ୍ୟରେ ସଂଘର୍ଷ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ନିକଟରେ ଦୁଇ ଗୋଷ୍ଠୀ କିନ୍ନରଙ୍କ ମଧ୍ୟରେ ସଂଘର୍ଷ ଘଟି ଚାରି ଜଣ ଆହତ ହୋଇଛନ୍ତି । ଏନେଇ ଥାନାରେ ଏତଲା ଦିଆଯାଇଛି । ପୋଲିସ ଏନେଇ ତିନି ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ, କିଛି କିନ୍ନର ପରିବା ନେଇ ଫେରିବା ବେଳେ କିଛି ଯୁବକଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣକାରୀମାନେ କିନ୍ନରଙ୍କୁ ପିଟାପିଟି, ତାଙ୍କ ଚୁଟି କାଟିଦେଇଥିବା ବିବରଣୀ ମିଳିଛି । ଏଥିସହ ଜଣେ କିନ୍ନରଙ୍କ ବ୍ୟାଗ୍ରୁ ପ୍ରାୟ ୧୦ ହଜାର ଟଙ୍କା ଏବଂ ଏକ ମୋବାଇଲ୍ ଫୋନ୍ ମଧ୍ୟ ଲୁଣ୍ଠନ କରାଯାଇଥିବାର ଅଭିଯୋଗ ରହିଛି ।

ଏହି ଘଟଣା ପରେ ଆକ୍ରମଣର ଶିକାର ହୋଇଥିବା କିନ୍ନର ଗୋଷ୍ଠୀ ଭଦ୍ରକ ସହରାଞ୍ଚଳ ଥାନାକୁ ଯାଇଥିଲେ । ସେମାନେ ଥାନା ପରିସରରେ ଜୋର୍‌ ଦାବି କରି ଉପଦ୍ରବ ସୃଷ୍ଟି କରିଥିଲେ, ଯାହାଦ୍ୱାରା ଥାନା ପରିସର ହଙ୍ଗାମାରେ କମ୍ପିଉଠିଥିଲା । ସେମାନେ ଆକ୍ରମଣକାରୀ ଯୁବକମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

ଗତ କିଛି ଦିନ ହେବା ଭଦ୍ରକରେ କିନ୍ନର ସମ୍ପ୍ରଦାୟ ମଧ୍ୟରେ ବିବାଦ ଚାଲିଛି । ଏହାପୂର୍ବରୁ ମଧ୍ୟ ଜଣେ କିନ୍ନର ସଞ୍ଜନା ଶାସମଲ ଓ ତାଙ୍କ ସହଯୋଗୀଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗରେ ଶତାଧିକ କିନ୍ନର ଥାନାକୁ ଯାଇ ଅଭିଯୋଗ କରିଥିଲେ । ସେତେବେଳେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ମଧ୍ୟ ରହିଥିଲା ।