LatestNews

ଭଦ୍ରକରେ ଦୋକାନୀ ଉପରେ ଆକ୍ରମଣକୁ ନେଇ ଉତ୍ତେଜନା ଓ ରାସ୍ତାରୋକ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ସହରରେ ଦୋକାନୀଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣକୁ ନେଇ ଗୁରୁତର ଉତ୍ତେଜନା ଦେଖାଦେଇଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଯୁବକ ଗତକାଲି ରାତିରେ ଅପର୍ତ୍ତୀବିନ୍ଧା ଛକ ନିକଟରେ ଜଣେ ଦୋକାନୀଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କ କାନ ମୂଳ କାଟି ଦେଇଥିଲେ। ଗୁରୁତର ଭାବରେ ଆହତ ହୋଇଥିବା ଦୋକାନୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ପୁଣି ଆହତ ଦୋକାନୀଙ୍କ ସମ୍ପର୍କୀୟଙ୍କୁ ସେହି ଗୋଷ୍ଠୀର ଲୋକେ ଆକ୍ରମଣ କରିବା ସହ କେତେକ ଦୋକାନ ଭାଙ୍ଗିଦେଇଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଓ ବିଭିନ୍ନ ସଂଗଠନ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ। ସେମାନେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଉଠାଦୋକାନୀଙ୍କୁ ସହର ଭିତରେ ରାସ୍ତା ଉପରେ ନ ବସିବାକୁ ଦାବି କରିଥିଲେ। ପରିସ୍ଥିତିର ଗୁରୁତ୍ୱ ଦେଖି ଅପର୍ତ୍ତୀବିନ୍ଧା ଛକରେ ବ୍ୟାପକ ପୁଲିସ ମୋତୟନ କରାଯାଇଥିଲା।

ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ ଏବଂ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ ସିଂ ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଉଠାଦୋକାନୀ ଉଚ୍ଛେଦ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ଆଶ୍ୱାସନା ପରେ ଲୋକେ ରାସ୍ତାରୋକ ଉଠାଇ ନେଇଥିଲେ।

ଏହି ଘଟଣା ସଂପର୍କରେ ଭଦ୍ରକ ଟାଉନ୍ ଥାନାରେ ଗୋଟିଏ ଅଭିଯୋଗ ଦାଏର ହୋଇଛି ଏବଂ ଆକ୍ରମଣରେ ସଂଲଗ୍ନ ଜଣେ ଯୁବକଙ୍କୁ ପୁଲିସ ଅଟକ କରିଛି। ଥାନା ଅଧିକାରୀ ପ୍ରୟଂଶ ମିଶ୍ର ଆସନ୍ତାକାଲି ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବେ ବୋଲି ପ୍ରକାଶ କରିଛନ୍ତି।

ବିଧାୟକ ମହାପାତ୍ର ସହରବାସୀଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଆଇନକୁ ହାତକୁ ନେଉଥିବା କାହାର ଧମକକୁ ଗ୍ରହଣ କରାଯିବ ନାହିଁ ଏବଂ କୌଣସି ପ୍ରକାର ଜବରଦଖଲକୁ ବାଧା ଦିଆଯିବ। ସହରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ଦୃଢ଼ ଅଛି ବୋଲି ସେ ପ୍ରକାଶ କରିଛନ୍ତି।