ଛୁଟି କାଟିବା ପାଇଁ ଭିଏତନାମ ଯାତ୍ରା କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ ଟିଭି): କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆବର୍ଷର ଶୁଭାରମ୍ଭ କରିଛନ୍ତି ଏକ ବିଦେଶ ଗସ୍ତରେ । ସେ ଜାନୁଆରୀ ୧ ତାରିଖରେ ଭିଏତନାମ ଯାତ୍ରା କରିଛନ୍ତି । କଂଗ୍ରେସର ସୂତ୍ର ଅନୁଯାୟୀ, ଏହି ଗସ୍ତଟି ବ୍ୟକ୍ତିଗତ ଏବଂ ସେ ପ୍ରାୟ ଗୋଟିଏ ସପ୍ତାହ ଛୁଟି ବିତାଇ ଫେରିବେ ।
ଭିଏତନାମ ଯିବା ପୂର୍ବରୁ, ରାହୁଲ ଗାନ୍ଧୀ ରାଜସ୍ଥାନର ରଣଥମ୍ବୋରରେ ପହଞ୍ଚିଥିଲେ । ସେଠାରେ ତାଙ୍କ ଭଣଜା ରେହାନ ଭଦ୍ରାଙ୍କ ନିର୍ବନ୍ଧ ଉତ୍ସବ ପାଳିତ ହୋଇଥିଲା, ଯେଉଁଥିରେ ଭାବୀ କନ୍ୟା ଅଭିଭା ବେଗଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ । ଏହା ପୂର୍ବରୁ ସଂସଦୀୟ ଶୀତକାଳୀନ ଅଧିବେଶନର ଶେଷ ସପ୍ତାହରେ ସେ ଜର୍ମାନୀ ଗସ୍ତ କରିଥିଲେ ।
ରାହୁଲ ଗାନ୍ଧୀଙ୍କ ଏହି ଭିଏତନାମ ଗସ୍ତକୁ ବିଜେପି କଟାକ୍ଷର ବିଷୟ କରିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, “ଆମେ ଭାଗ୍ୟବାନ ଯେ, ରାହୁଲ ଗାନ୍ଧୀ ତାଙ୍କର ଜର୍ମାନୀ ଏବଂ ଭିଏତନାମ ବିଦେଶ ଯାତ୍ରା ମଧ୍ୟରେ ରଣଥାମ୍ବୋରରେ କିଛି ସମୟ ବିତାଇବାର ସୁଯୋଗ ପାଇଲେ ।”
ଏହି ଘଟଣାକ୍ରମ ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ଜାନୁଆରୀ ୫ ତାରିଖରୁ ‘ମନରେଗା ବଞ୍ଚାଅ’ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି । ବିଜେପି ଏହି ଅଭିଯାନ ଆରମ୍ଭ ହେବା ପୂର୍ବରୁ ରାହୁଲଙ୍କ ବିଦେଶ ଯାତ୍ରାକୁ ତାଚ୍ଛଲ୍ୟ କରିବାର ଅବସର ଭାବି ପ୍ରଶ୍ନ ଉଠାଇଛି ।
କଂଗ୍ରେସ ପକ୍ଷରୁ ଏହାର ଜବାବ ଦେଇ କୁହାଯାଇଛି ଯେ ଏହା ଏକ ବ୍ୟକ୍ତିଗତ ଯାତ୍ରା ଏବଂ ରାହୁଲ ଗାନ୍ଧୀ ତାଙ୍କ କର୍ତ୍ତବ୍ୟରୁ ଓହରିବେ ନାହିଁ । କଂଗ୍ରେସ ସୂତ୍ର ଅନୁଯାୟୀ, ସେ ଛୁଟିରୁ ଫେରି ମନରେଗା ଅଭିଯାନରେ ସକ୍ରିୟ ଭାବେ ଯୋଗଦାନ କରିବେ ଏବଂ ଆଗାମୀ ମାସଗୁଡ଼ିକରେ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ୫ ରାଜ୍ୟ ଗସ୍ତ କରିବେ ।
