FeaturedGeneralLatest

ଭେନେଜୁଏଲାରେ ଆମେରିକାର ଏୟାରଷ୍ଟ୍ରାଇକ୍ ; ରାଷ୍ଟ୍ରପତି ମାଦୁରୋ ଗିରଫ ଦାବି କଲେ ଟ୍ରମ୍ପ

ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକା ଭେନେଜୁଏଲା ଉପରେ ଏକ ବିଶାଳ ସାମରିକ କାର୍ଯ୍ୟାନୁଷ୍ଠାନ ଚଳାଇଛି। ପୋର୍ଟ ଅଫ୍ କାରାକାସ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିଥିବାର ରିପୋର୍ଟ ମିଳିଛି। ଏହି ଆକ୍ରମଣ ପରପକ୍ଷରେ ଶନିବାର ଭୋର ସମୟରେ ରାଜଧାନୀ କାରାକାସରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଶନିବାର ରାତି ପ୍ରାୟ ୨ଟା ସମୟରେ କାରାକାସରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଆକାଶରେ ବିମାନ ଉଡ଼ିବାର ଶବ୍ଦ ପରେ ସାତୋଟି ବଡ଼ ବିସ୍ଫୋରଣ ହୋଇଥିବା କୁହାଯାଏ। ଲା କାର୍ଲୋଟା ସାମରିକ ବିମାନଘାଟି ଏବଂ ଭେନେଜୁଏଲା ସେନାର ମୁଖ୍ୟାଳୟ କୁହାଯାଉଥିବା ଫୁଏର୍ଟେ ଟିଉନା ସାମରିକ କମ୍ପ୍ଲେକ୍ସରୁ ଧୂଆଁ ବାହାରୁଥିବାର ଦେଖାଯାଇଥିଲା।

ବିସ୍ଫୋରଣର କିଛି ଘଣ୍ଟା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ୍’ରେ ସେ ଘୋଷଣା କରିଛନ୍ତି ଯେ ଆମେରିକା ଭେନେଜୁଏଲା ଉପରେ ଏକ ବଡ଼ ଧରଣର ଆକ୍ରମଣ ସଫଳତାର ସହିତ ଶେଷ କରିଛି ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରି ଦେଶ ବାହାରକୁ ଅଣାଯାଇଛି। ଟ୍ରମ୍ପ କହିଛନ୍ତି ଯେ ଏହି ଅପରେସନ୍ ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ମିଳିତ ଭାବେ କରାଯାଇଥିଲା।

ମାଦୁରୋଙ୍କ ଗିରଫ ଖବର ଆସିବା ପୂର୍ବରୁ ଭେନେଜୁଏଲା ସରକାର ଦେଶରେ ‘ବାହ୍ୟ ବିଶୃଙ୍ଖଳା ପରିସ୍ଥିତି’ ଏବଂ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଆମେରିକାର କାର୍ଯ୍ୟାନୁଷ୍ଠାନକୁ ସେମାନେ “ନିର୍ମମ ସାମରିକ ଆକ୍ରମଣ” ବୋଲି କହି ଜନସାଧାରଣଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ମାଦୁରୋଙ୍କ ଗିରଫ ଦାବି ପରେ କାରାକାସରେ କ୍ଷମତା ପରିବର୍ତ୍ତନକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଟ୍ରମ୍ପ ଅଧିକ ସୂଚନା ପାଇଁ ଫ୍ଲୋରିଡାର ମାର-ଏ-ଲାଗୋଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି।