ଡେବ୍ରିଗଡ଼ ଜଙ୍ଗଲକୁ ଆସିବେ ୨ ନୂଆ ବାଘ: ମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର (ସଂକେତ ଟିଭି):ଡେବ୍ରିଗଡ଼ ଜଙ୍ଗଲକୁ ଦୁଇଟି ନୂଆ ବ୍ୟାଘ୍ର ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଷରାମ ସିଂ ଖୁଣ୍ଟିଆ। ଭବିଷ୍ୟତରେ ବାଘ ଆଣିବା ନେଇ ଏହି ଯୋଜନା ରହିଛି ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି) ସହ ତାଲ୍ ମେଲରେ କରାଯାଇଛି। ମାତ୍ର ଡେବ୍ରିଗଡ଼ରେ ବ୍ୟାଘ୍ର ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିପାଇଁ ସ୍ଥାନୀୟ ସମାଜ ସହ ଆଲୋଚନା ଜାରି ରଖାଯାଇଛି।
ଅନ୍ୟ ଏକ ପ୍ରସଙ୍ଗରେ, ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଶିମିଳିପାଳ ଜଙ୍ଗଲରେ ଥିବା ବ୍ୟାଘ୍ର ଯମୁନା ଓ ଜିନତ ଆଦିଙ୍କ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଏହି ବାଘମାନେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କ ଉପରେ ଜିପିଏସ ଟ୍ରାକିଂ ଓ କ୍ୟାମେରା ମାଧ୍ୟମରେ ନିରୀକ୍ଷଣ ଜାରି ରଖାଯାଇଛି। ତେବେ ସେମାନଙ୍କ ବଂଶବୃଦ୍ଧି କାର୍ଯ୍ୟକ୍ରମରେ ଆଶାନୁରୂପ ସଫଳତା ମିଳିନଥିବା ବେଳେ ଏହାକୁ ସଫଳ କରିବା ପାଇଁ ପ୍ରୟାସ ଚାଲୁରହିଛି।
