EducationFeaturedLatestNews

୧୧୮ଟି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର (ସଂକେତ ଟିଭି): ଖୋର୍ଦ୍ଧା ଜିଲ୍ଲାର ବାଣପୁରସ୍ଥିତ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (GMAPV) ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକକାଳୀନ ଭାବେ ସାରା ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୧୧୮ଟି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅର୍ଥ ଆଗାମୀ ୪ ବର୍ଷ, ଅର୍ଥାତ୍ ୨୦୨୫-୨୬ ଠାରୁ ୨୦୨୮-୨୯ ମଧ୍ୟରେ ଖର୍ଚ୍ଚ କରାଯିବ । ଏହି ବିଦ୍ୟାଳୟଗୁଡିକ ଅନ୍ତତଃ ୫ ଏକର ଜମି ଉପଲବ୍ଧ ଥିବା ଏବଂ ରାସ୍ତା ସଂଯୋଗ ଥିବା ଗ୍ରାମ ପଞ୍ଚାୟତ ସ୍ତରୀୟ ଗ୍ରାମମାନଙ୍କରେ ସ୍ଥାପନ କରାଯିବ ।

ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଏହି ଯୋଜନାର ଉଦ୍ଦେଶ୍ୟ ଏବଂ ଦୃଷ୍ଟିକୋଣ ସମ୍ପର୍କିତ ଏକ ଖୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କେନ୍ଦୁଝର, ପୁରୀ, ବଲାଙ୍ଗିର ଏବଂ ନବରଙ୍ଗପୁର ଜିଲ୍ଲା ସହିତ ଶିକ୍ଷାର ବ୍ୟବସ୍ଥା ଓ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକ, ଓଡିଶା ସରକାରୀ ପ୍ରାଥମିକ ଶିକ୍ଷକ ସଂଘ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ଥିଲେ ।