FeaturedLatestNews

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା; ମହିଳାଙ୍କ ଖାତାରେ ଜମା ହେବ ୨୫୦ କୋଟି

ଭୁବନେଶ୍ୱର (ସଂକେତ ଟିଭି): ଚଳିତ ସପ୍ତାହ ମଧ୍ୟରେ ରାଜ୍ୟର ମହିଳାମାନଙ୍କ ଖାତାରେ ସୁଭଦ୍ରା ଟଙ୍କା ଜମା କରାଯିବ । ଏହି ସୂଚନା ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଛନ୍ତି । ଏଥିପାଇଁ ପ୍ରାୟ ୨୫୦ କୋଟି ଟଙ୍କାର ଏକ ସମାହାର ରାଶି ଖାତାକୁ ପ୍ରେରଣ କରାଯାଇଛି ।

ଏହି କିସ୍ତିରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ଲାଭାନ୍ୱିତ ହେବେ । ଏଥିରେ ନୂଆ ଆବେଦନକାରୀ ଭାବରେ ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି, ଯେଉଁମାନେ ପ୍ରଥମ ଥର ପାଇଁ ୫ ହଜାର ଟଙ୍କା ପାଇବେ । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ଲାଭାର୍ଥୀଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଯାଇଛି । ସେମାନେ ଏକସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ପାଇବେ ।

ଏହା ବ୍ୟତୀତ, ବିଭିନ୍ନ ଅଭିଯୋଗର ଶୁଣାଣି ପରେ ଅତିରିକ୍ତ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ଗତ ନଭେମ୍ବର ମାସରେ ଆରମ୍ଭ ହୋଇଥିବା ନୂଆ ଆବେଦନ ପ୍ରକ୍ରିୟା ଅନୁଯାୟୀ, ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ଆବେଦନ କରିବାର ସୁଯୋଗ ପାଇଛନ୍ତି । ଏହି ଉଦ୍ଦେଶ୍ୟରେ ଦୀର୍ଘଦିନ ଧରି ବନ୍ଦ ଥିବା ସୁଭଦ୍ରା ପୋର୍ଟାଲକୁ ମଧ୍ୟ ଖୋଲାଯାଇଥିଲା ।