FeaturedLatestNews

ଧର୍ମାନ୍ତର ଯୋଗୁଁ ଶେଷକ୍ରିୟାକୁ ନେଇ ବିବାଦ: ଦୁଇ ଦିନ ଧରି ପଡି ରହିଲା ଶବ

ବାଲିଆପାଳ (ଉମାକାନ୍ତ ନାୟକ): ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମରେ ଧର୍ମାନ୍ତର କାରଣରୁ ଶେଷକ୍ରିୟା ନେଇ ଉପୁଜିଥିବା ଦ୍ୱନ୍ଦ୍ରରେ ଜଣେ ୯୫ ବର୍ଷୀୟ ବ୍ୟକ୍ତିଙ୍କ ଶବ ଦୁଇ ଦିନ ଧରି ଉଠିପାରିନଥିଲା । ଶେଷରେ ପୋଲିସ ହସ୍ତକ୍ଷେପ ଓ ପ୍ରଶାସନିକ ମଧ୍ୟସ୍ଥତା ପରେ ଶୁକ୍ରବାର ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇପାରିଛି ।

ମୃତକ ଛୁଟା ହାଁସଦା ବୁଧବାର ରାତିରେ ବାର୍ଧକ୍ୟ ଜନିତ କାରଣରେ ଦେହତ୍ୟାଗ କରିଥିଲେ । ତାଙ୍କ କନିଷ୍ଠ ପୁତ୍ର ଭୀମ ହାଁସଦା ପ୍ରାୟ ୧୫ ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବାରୁ ସେ ପିତାଙ୍କୁ ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ଘର ପଛପଟେ କବର ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହି ପ୍ରସ୍ତାବକୁ ଗ୍ରାମବାସୀମାନେ ପ୍ରବଳ ଭାବେ ବିରୋଧ କରି ଗ୍ରାମ ପରିସର ମଧ୍ୟରେ କବର ଦେବାକୁ ଅନୁମତି ଦେଇନଥିଲେ ।

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଭୀମ ହାଁସଦା ରାଇବଣିଆ ପୋଲିସ ଓ ରାଜସ୍ୱ ଅଧିକାରୀଙ୍କ ନିକଟକୁ ଯାଇଥିଲେ ଏବଂ କବର ଦେବା ପାଇଁ ଅନୁମତି ମଧ୍ୟ ପାଇଥିଲେ । କିନ୍ତୁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ପ୍ରକ୍ରିୟାକୁ ବିରୋଧ କରିବାରୁ ଶବ ସଂସ୍କାର କାର୍ଯ୍ୟ ଅଟକି ରହିଥିଲା । ଫଳସ୍ୱରୂପ, ଦୁଇ ଦିନ ଧରି ଶବଟି ଘରେ କଫିନ୍ ଭିତରେ ପଡି ରହିଥିଲା ।

ଏହି ଦ୍ୱନ୍ଦ୍ୱ ଦୀର୍ଘସ୍ଥାୟୀ ହେବାରୁ ରାଇବଣିଆ ଥାନାର ସବ୍-ଡିଭିଜନାଲ୍ ପୋଲିସ୍ ଅଫିସର ସୁବ୍ରତ କୁମାର ବେହେରା ଓ ଥାନା ଇନଚାର୍ଜ ଚମ୍ପାବତି ସୋରେନ ଅତିରିକ୍ତ ପୋଲିସ ବଳ ସହ ଗ୍ରାମକୁ ଯାଇଥିଲେ । ଦୀର୍ଘ ସମୟ ଧରି ଆଲୋଚନା ପରେ ଶେଷରେ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ଖ୍ରୀଷ୍ଟିଆନ ରୀତିରେ ଶେଷକ୍ରିୟା ସମ୍ପନ୍ନ କରାଯାଇଥିବା ବିଷୟରେ ପୋଲିସ ଅଧିକାରୀମାନେ ଜଣାଇଛନ୍ତି ।