FeaturedLatestNewsPolitics

PUC ନିୟମ କାର୍ଯ୍ୟକାରୀତାରେ ବିଫଳତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର (ସଂକେତ ଟିଭି): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟୁଇଟର ମାଧ୍ୟମରେ ବିଜେପି ସରକାରଙ୍କ ଉପରେ ତୀବ୍ର ଆକ୍ରୋଶ ବର୍ଷାଇ କହିଛନ୍ତି ଯେ ପର୍ଯ୍ୟାପ୍ତ ପ୍ରସ୍ତୁତି ଓ ପ୍ରଚାର ବିନା ଯାନ ପ୍ରଦୂଷଣ ନିୟନ୍ତ୍ରଣ (PUC) ନିୟମ କଡ଼ା ଭାବେ କାର୍ଯ୍ୟକାରୀ କରିବା ଏକ ଭୟଙ୍କର ଅବ୍ୟବସ୍ଥା ସୃଷ୍ଟି କରିଛି, ଯାହା ଫଳରେ ସାଧାରଣ ଲୋକ ହଇରାଣ ହେଉଛନ୍ତି ।

ସେ କହିଛନ୍ତି, ‘PUC ନାହିଁ, ଇନ୍ଧନ ନାହିଁ’ ନୀତି ଘୋଷଣା ପରେ ଲୋକେ ଲାଇନ୍ ଦେବାର ଦୃଶ୍ୟ ଦେଖାଗଲା । ଜନଆକ୍ରୋଶ ପରେ ସରକାର ‘U-ଟର୍ଣ୍ଣ’ ନେଇ ପ୍ରଥମେ ଜରିମାନା କାର୍ଯ୍ୟକାରୀ କରି ପରେ ୦୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏହା ରଦ୍ଦ କରି ଟୋଲଗେଟରେ ଇ-ଡିଟେକ୍ସନ ବନ୍ଦ କରିଦେଇଛନ୍ତି । ନବୀନ ଏହାକୁ ପରିବହନ ବିଭାଗର ଦୁର୍ଦୃଷ୍ଟି, ଅଭାବ ଓ ଅକ୍ଷମତାର ପରିଚୟ ବୋଲି କଟାକ୍ଷ କରିଛନ୍ତି ।

ପ୍ରଦୂଷଣ ନିୟନ୍ତ୍ରଣ ଆବଶ୍ୟକ ମନେ କରି ମଧ୍ୟ ନବୀନ କହିଛନ୍ତି ଯେ ଏହା ଲୋକଙ୍କୁ ହରାସ କରି ହେବ ନାହିଁ । ବିଜେଡି ଦଳ ଲୋକଙ୍କ ସହ ଦୃଢ଼ଭାବରେ ଠିଆ ହୋଇ ଏହି ଅବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରୁଛି । ତାଙ୍କ ମତରେ PUC ସୁବିଧାର ବିସ୍ତାର, ପ୍ରକ୍ରିୟା ସରଳୀକରଣ ଏବଂ ଅନ୍ୟାୟ ଜରିମାନା ବନ୍ଦ କରି ଓଡ଼ିଆ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର ।