ଜାନୁଆରୀ ୨୮ରୁ ବଜେଟ ଅଧିବେଶନ, ଫେବୃଆରୀ ୧ରେ ନିର୍ମଳାଙ୍କ ବଜେଟ
ନୂଆଦିଲ୍ଲୀ (ସଂକେତ ଟିଭି): ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରାଯିବା ସଂସଦର ବଜେଟ ଅଧିବେଶନ ଜାନୁଆରୀ ୨୮ରୁ ଆରମ୍ଭ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ମିଳିଥିବା କହିଛନ୍ତି ।
ଅଧିବେଶନଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ରୁ ଫେବୃଆରୀ ୧୩ ଯାଏଁ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୨ରେ ଶେଷ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଂଯୁକ୍ତ ବୈଠକରେ ସମ୍ବୋଧନ କରିବେ, ଯାହାକୁ ନେଇ ପରବର୍ତ୍ତୀ ଆଲୋଚନା ଓ ଧନ୍ୟବାଦ ପ୍ରସ୍ତାବ ଗ୍ରହଣ ହେବ ।
ଏହି ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନବମ ଥର ପାଇଁ ବଜେଟ ପେସ୍ କରିବେ । ସରକାରୀ ସୂତ୍ର ଅନୁଯାୟୀ, ଫେବୃଆରୀ ୧ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଆଗତ ହେବ । ବଜେଟ ପରେ ବିଭିନ୍ନ ମନ୍ତ୍ରଣାଳୟର ଅନୁଦାନ ଦାବି ଯାଞ୍ଚ କରିବା ପାଇଁ ଷ୍ଟାଣ୍ଡିଙ୍ଗ କମିଟିଙ୍କୁ ସମୟ ଦିଆଯିବ ।
ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆଲୋଚ୍ୟ ବିଷୟ ହେବ କୃତ୍ରିମ ବୁଦ୍ଧିମତା (ଏଆଇ) । ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ଫେବୃଆରୀରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନା କରିବାର ଥିବା ‘ଏଆଇ ଇମ୍ପାକ୍ଟ ସମ୍ମିଳନୀ’ ପୂର୍ବରୁ ସଂସଦୀୟ କମିଟି ଏହା ସମ୍ପର୍କରେ ବୈଠକ ଡାକିଛି । ଏହି ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ସଂସଦରେ ଉପସ୍ଥାପନ କରାଯିବ ।
