EntertainmentFeaturedGeneralLatest

ଇଣ୍ଡିଆନ୍ ଆଇଡଲ୍ ପ୍ରଶାନ୍ତ ତମାଙ୍ଗଙ୍କ ଦେହାନ୍ତ

ନୂଆଦିଲ୍ଲୀ (ସଂକେତ ଟିଭି): ମନୋରଞ୍ଜନ ଜଗତକୁ ଏକ ଦୁଃଖଦ ଝଟକା । ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ର ବିଜୟୀ ପ୍ରଖ୍ୟାତ ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍କ ଅକାଳ ଦେହାନ୍ତ ଘଟିଛି । ମାତ୍ର ୪୩ ବର୍ଷ ବୟସରେ ହଠାତ୍ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି । ନୂଆଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ତାଙ୍କ ବାସଭବନରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ନିକଟସ୍ଥ ଏକ ଚିକିତ୍ସାଳୟକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରଶାନ୍ତ ତମାଙ୍ଗ ୨୦୦୭ ମସିହାରେ ଇଣ୍ଡିଆନ୍ ଆଇଡଲ୍ ଜୟ କରି ଦେଶବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ ଏବଂ ତାଙ୍କ ସ୍ୱରରେ ଲକ୍ଷାଧିକ ହୃଦୟ ଜିତିଥିଲେ । ପରବର୍ତ୍ତୀ ସମୟରେ ସେ ସଙ୍ଗୀତ ଏବଂ ଅଭିନୟ ଉଭୟ କ୍ଷେତ୍ରରେ ସକ୍ରିୟ ରହି ନିଜ ସ୍ଥାନ ପକ୍କା କରିଥିଲେ । ତାଙ୍କର ଏହି ଆକସ୍ମିକ ଦେହାନ୍ତ ତାଙ୍କ ପ୍ରଶଂସକ, ସଙ୍ଗୀତ ଏବଂ ଚଳଚ୍ଚିତ୍ର ଜଗତକୁ ଗଭୀର ସଦମା ଦେଇଛି ।

ପ୍ରଶାନ୍ତ ତମାଙ୍କ ଜନ୍ମ ୪ ଜାନୁଆରୀ ୧୯୮୩ରେ ଦାର୍ଜିଲିଂଠାରେ ହୋଇଥିଲା ଏବଂ ସେ ଏକ ନେପାଳୀ-ଭାରତୀୟ ପରିବାରର ସଦସ୍ୟ ଥିଲେ । ଇଣ୍ଡିଆନ୍ ଆଇଡଲ୍ ଜୟ ପୂର୍ବରୁ ସେ କୋଲକାତା ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିଲେ ଏବଂ ପୋଲିସ ଅର୍କେଷ୍ଟ୍ରା ପାଇଁ ଗୀତ ଗାଇଥିଲେ । ତାଙ୍କର କଠିନ ପରିଶ୍ରମ, ମଧୁର ସ୍ୱର ଏବଂ ନିଖୁଣ ପ୍ରଦର୍ଶନ ଯୋଗୁଁ ସେ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ସ୍ଥାୟୀ ସ୍ଥାନ ପାଇଥିଲେ ।

ତାଙ୍କର ଦେହାନ୍ତର ଖବର ପାଇବା ପରେ ଇଣ୍ଡଷ୍ଟ୍ରିର ଅନେକ ଗାୟକ, ଅଭିନେତା ଏବଂ କଳାକାର ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି । ପ୍ରଶାନ୍ତ ତମାଙ୍କ ଅକାଳ ବିୟୋଗ ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି ।