ବିମାନ ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ ରାଉରକେଲାରେ DGCA ଟିମ୍
ରାଉରକେଲା (ସଂକେତ ଟିଭି): ରାଉରକେଲାରେ ଏକ ଘରୋଇ ବିମାନ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଛୋଟ ବିମାନଟିରେ ପାଇଲଟଙ୍କ ସମେତ ମୋଟ ୬ ଜଣ ଯାତ୍ରୀ ଥିଲେ। ଦକ୍ଷିଣ ରାଉରକେଲା ଆକାଶରେ ଉଡ଼ାଣ ଅବସ୍ଥାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ପାଇଲଟ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜରୁରୀ ଅବତରଣ ସମୟରେ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା।
ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ DGCA (ଡାଇରେକ୍ଟୋରେଟ ଜେନେରାଲ୍ ଅଫ୍ ସିଭିଲ ଏଭିଏସନ୍) ର ୨ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବ୍ଲାକ୍ ବକ୍ସ୍ ମିଳିବା ପରେ ଦୁର୍ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ପରିବହନ ମନ୍ତ୍ରୀ ବିଭୂତି ଜେନା ଏବଂ ପରିବହନ ସଚିବ ଉଷା ପାଢୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପର୍ଯ୍ୟବେକ୍ଷଣ କରିଛନ୍ତି।
ଦୁର୍ଘଟଣାରେ ଆହତ ୬ ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଥିବା ଦମ୍ପତି ସୁନୀଲ ଅଗ୍ରଓ୍ୱାଲ ଏବଂ ସବିତା ଅଗ୍ରଓ୍ୱାଲଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଏୟାରଲିଫ୍ଟ୍ କରାଯାଇଛି। ଅନ୍ୟ ୪ ଜଣ ଆହତଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଦିଆଯାଉଛି।
ଆହତଙ୍କ ଚିକିତ୍ସା ପର୍ଯ୍ୟବେକ୍ଷଣ କରିବା ପାଇଁ କଟକ SCB ଏବଂ ଧରଣୀଧର ମେଡିକାଲ କଲେଜ ହସ୍ପିଟାଲରୁ ସ୍ନାୟୁ ବିଶେଷଜ୍ଞ ଡ଼ଃ ଅନୁପ ମହାପାତ୍ର ଏବଂ କ୍ରିଟିକାଲ୍ କେୟାର୍ ବିଶେଷଜ୍ଞ ଡ଼ଃ ଦେବାଶିଷ ସ୍ଵାଇଁ ରାଉରକେଲା ପହଞ୍ଚିଛନ୍ତି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମଧ୍ୟରେ କ୍ୟାପଟେନ୍ ନବୀନ ଖାଡ଼େଙ୍ଗା, ତରୁଣ ଶ୍ରୀବାସ୍ତବ, ସୁଶାନ୍ତ କୁମାର ବିଶ୍ୱାଳ ଏବଂ ଅନିତା ସାହୁ ଅନ୍ୟତମ।
