ଆପତ୍ତିଜନକ ପୋଷ୍ଟ ପ୍ରସଙ୍ଗରେ X କମ୍ପାନୀର ଭୁଲ ସ୍ୱୀକାର
ନୂଆଦିଲ୍ଲୀ (ସଂକେତ ଟିଭି): ସୋଶିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ଏକ ଆପତ୍ତିଜନକ ପୋଷ୍ଟକୁ ନେଇ କମ୍ପାନୀ ନିଜର ଭୁଲ ସ୍ୱୀକାର କରିଛି ଏବଂ ଭାରତୀୟ ଆଇନ ଅନୁଯାୟୀ କାମ କରିବ ବୋଲି ନିଷ୍ପତ୍ତି ନେଇଛି । ପୂର୍ବରୁ ଏହି ପ୍ଲାଟଫର୍ମରେ ଆପତ୍ତିଜନକ ଫଟୋ ପ୍ରସଙ୍ଗରେ କେନ୍ଦ୍ର ସରକାର ଚେତାବନୀ ଦେଇଥିଲେ । ଏହି ଚେତାବନୀ ପରେ ପ୍ଲାଟଫର୍ମ କାର୍ଯ୍ୟାନୁଷ୍ଠାନ ନେଇ ଅନେକ ୟୁଜର୍ଙ୍କୁ ବ୍ଲକ୍ କରିଥିଲା ।
ଏକ୍ସ କମ୍ପାନୀ କହିଛି ଯେ ସେମାନେ ୩,୫୦୦ଟି ପୋଷ୍ଟକୁ ବ୍ଲକ୍ କରିଛନ୍ତି ଏବଂ ୬୦୦ ଆକାଉଣ୍ଟ ଡିଲିଟ୍ କରାଯାଇଛି । କମ୍ପାନୀ ଏବେ କୌଣସି ଆପତ୍ତିଜନକ ପୋଷ୍ଟକୁ ଅନୁମତି ଦେବ ନାହିଁ ଏବଂ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।
ରିପୋର୍ଟ ଅନୁସାରେ, ବାରମ୍ବାର ଏକ୍ସ ବିରୋଧରେ ସରକାରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରୁନଥିବାର ଅଭିଯୋଗ ଆସୁଥିଲା । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ୍ସ ପ୍ଲାଟଫର୍ମର ଅନେକ ଆପତ୍ତିଜନକ ପୋଷ୍ଟ ଚିହ୍ନଟ କରିଥିଲା । ଏହି ସମସ୍ତ ବିବାଦିତ କଣ୍ଟେଣ୍ଟ୍ ଗ୍ରୋକ୍ ନାମକ ଏକ କୃତ୍ରିମ ବୁଦ୍ଧିମତା (AI) ଚାଟବଟ୍ ସାହାଯ୍ୟରେ ପ୍ରସ୍ତୁତ ହୋଇଥିବା ଦର୍ଶାଯାଇଛି ।
ଉଲ୍ଲେଖ୍ୟ, ଗ୍ରୋକ୍ ଏକ AI ଚାଟବଟ୍ ଯାହାକୁ ଏଲନ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ପ୍ରସ୍ତୁତ କରିଥିଲା । ନିକଟରେ ଏହି ଗ୍ରୋକ୍ AI ଦ୍ୱାରା ଅନେକ ଅଶ୍ଲୀଳ କଣ୍ଟେଣ୍ଟ୍ ସୃଷ୍ଟି କରାଯାଇଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗ ଥିଲା ଯେ ଅନେକ ୟୁଜର୍ ମହିଳା ଏବଂ ନାବାଳିକାଙ୍କ ଫଟୋ ବ୍ୟବହାର କରି ଗ୍ରୋକ୍ AI ସାହାଯ୍ୟରେ ଅଶ୍ଲୀଳ ସାମଗ୍ରୀ ତିଆରି କରୁଥିଲେ ।
ସରକାର ଏହି ପ୍ରସଙ୍ଗକୁ ଗମ୍ଭୀର ଭାବେ ନେଇ ଏକ୍ସ କମ୍ପାନୀକୁ କଠୋର ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ଏହି କଠୋର ଭୂମିକା ପରେ ହିଁ ଏଲନ ମସ୍କଙ୍କ କମ୍ପାନୀ ତରଫରୁ ଭୁଲ ସ୍ୱୀକାର କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି ।
