FeaturedLatestNews

୧୪ଟି ଅଟଳ ବସଷ୍ଟାଣ୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେମାନେ ସଡ଼କ ସୁରକ୍ଷା ସମ୍ମାନ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ରାଜ୍ୟର ୧୦ଟି ଜିଲ୍ଲାରେ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ୧୪ଟି ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି । ଏଥିସହ OSRTC ପାଇଁ ୧୦୦ଟି ନୂଆ ବସ୍, ଘାଟି ରାସ୍ତାରେ ସତର୍କତା ସୂଚନା ଘଣ୍ଟି ଏବଂ ବିଦ୍ୟାଳୟ ପରିସର ସୁରକ୍ଷା ରେଟିଂ ଯୋଜନାର ଶୁଭାରମ୍ଭ କରାଯାଇଛି ।

ଏହାଛଡ଼ା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତଧରା ହୋଇଛି । ବସ୍ ସେବା ଅଧୀନରେ ବସ୍ ପରିଚାଳନା ମାର୍ଗର ପୁନର୍ବିନ୍ୟାସ, ବ୍ରହ୍ମପୁରରେ CRUT ଇ-ବସ୍ ଡିପୋରେ ୨୫ଟି ବୈଦ୍ୟୁତିକ ‘ଆମ ବସ୍’, OSRTC କ୍ଲୋଡ୍ ଲୁପ୍ ଟ୍ରାନଜିଟ୍ (ସ୍ମାର୍ଟ କାର୍ଡ), ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ ଏବଂ ଟ୍ରାଫିକ୍ ପରିଚାଳନା ଯୋଜନା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ଗିରିଶୋଳା ଟ୍ରକ୍ ଟର୍ମିନାଲର ଜମି ସମ୍ବନ୍ଧୀୟ କାଗଜପତ୍ର HPCLକୁ ହସ୍ତାନ୍ତର କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୁତି ଜେନା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଆଦି ମନ୍ତ୍ରୀ ଓ ନେତାମାନେ ଉପସ୍ଥିତ ଥିଲେ ।