ପାକିସ୍ତାନ ସୀମାରେ ସକ୍ରିୟ ରହିଛି ୮ଟି ଆତଙ୍କବାଦୀ ତାଲିମ ଶିବିର : ଭାରତୀୟ ସେନା ମୁଖ୍ୟ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନ ସୀମାରେ ସକ୍ରିୟ ଥିବା ଆତଙ୍କବାଦୀ ତାଲିମ ଶିବିରଗୁଡ଼ିକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସୀମାର ଆରପାରରେ ଏବେ ମଧ୍ୟ ୮ଟି ଆତଙ୍କବାଦୀ ତାଲିମ ଶିବିର ସକ୍ରିୟ ରହିଛି, ଯାହାକୁ ଭାରତୀୟ ସେନା ନିରନ୍ତର ନଜରରେ ରଖିଛି। ଯଦି ସେଗୁଡ଼ିକରୁ କୌଣସି ଉତ୍ତେଜନାମୂଳକ ଗତିବିଧି ଦେଖାଯାଏ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନା ପଛାଇବ ନାହିଁ।
ଏହି ୮ଟି ଶିବିର ମଧ୍ୟରୁ ଦୁଇଟି ଅନ୍ତର୍ଜାତୀୟ ସୀମା ନିକଟରେ ଏବଂ ଅବଶିଷ୍ଟ ଛଅଟି ନିୟନ୍ତ୍ରଣ ରେଖା (LoC) ଉପରେ ଅବସ୍ଥିତ। ଗୁଇନ୍ଦା ସ୍ରୋତରୁ ମିଳୁଥିବା ସୂଚନାକୁ ଆଧାର କରି ସେଗୁଡ଼ିକ ଉପରେ ସେବାର ନଜର ରହିଛି। ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଏହି ଶିବିରଗୁଡ଼ିକରେ ପ୍ରାୟ ୧୦୦ ରୁ ୧୫୦ ଜଣ ଆତଙ୍କବାଦୀ ରହିପାରନ୍ତି। ଏହି ପୃଷ୍ଠଭୂମିରେ ଅପରେସନ ସିନ୍ଦୂର ଏବେବି ଜାରି ରହିଛି ଏବଂ ସେନା ସମ୍ପୂର୍ଣ୍ଣ ସତର୍କତାର ସହିତ ତାଲିମ ଶିବିରଗୁଡ଼ିକ ଉପରେ ନଜର ରଖିଛି।
ଅପରେସନ ସିନ୍ଦୂର ପରଠାରୁ ଡିଜିଏମଓ (DMO) ସ୍ତରରେ ହୋଇଥିବା ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା ଯେ ଉଭୟ ଦେଶ ସେମାନଙ୍କର ଆଗୁଆ ନିୟୋଜିତ ସେନା ସଂଖ୍ୟା ହ୍ରାସ କରିବେ। ଜେନେରାଲ ଦ୍ୱିବେଦୀ ଏହା ସ୍ପଷ୍ଟ କରିଛନ୍ତି ଯେ ଏହି ଆଲୋଚନାରେ ପରମାଣୁ ଅସ୍ତ୍ର ସମ୍ପର୍କିତ କୌଣସି ବିଷୟ ଆଲୋଚିତ ହୋଇନଥିଲା। ପରମାଣୁ ଅସ୍ତ୍ର ସମ୍ପର୍କରେ ରାଷ୍ଟ୍ରୀୟ ମାଧ୍ୟମରେ ଦେଖାଯାଇଥିବା ବିବୃତ୍ତି ରାଜନେତା କିମ୍ବା ସାର୍ବଜନୀନ ମଞ୍ଚରୁ ଉଦ୍ଧୃତ ହୋଇଥିଲା, ସେନା ଏପରି କୌଣସି ବାର୍ତ୍ତା ଦେଇ ନଥିଲା।
ସେନା ମୁଖ୍ୟ ଆହୁରି ଗୁରୁତ୍ୱପୂର୍ଣ୍ଣ ଏକ ଦିଗ ସୂଚାଇଛନ୍ତି: ପ୍ରଥମ ଥର ପାଇଁ, ଭାରତ ପରମାଣୁ ଏବଂ ପାରମ୍ପରିକ ଯୁଦ୍ଧ ମଧ୍ୟରେ ଥିବା ମଧ୍ୟବର୍ତ୍ତୀ କ୍ଷମତା (କନଭେନ୍ସନାଲ ଷ୍ଟ୍ରାଟେଜିକ୍ ଡିଟେରେନ୍ସ) ବ୍ୟବହାର କରି ପାକିସ୍ତାନ ବିରୁଦ୍ଧରେ ଏକ ସଫଳ ଅଭିଯାନ ଚଳାଇଛି। ଏହି କାର୍ଯ୍ୟାନୁଷ୍ଠାନ ଏହି ସଂକେତ ଦେଇଛି ଯେ ଭାରତ କୌଣସି ଆକ୍ରମଣ ବା ଉତ୍ତେଜନାର ପ୍ରତ୍ୟେକ ସ୍ତରରେ ପ୍ରତିକାରମୂଳକ ଜବାବ ଦେବାକୁ ସମର୍ଥ।
