FeaturedLatestNews

ବରଗଡରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ସାରା ରାଜ୍ୟକୁ ବ୍ୟାପିବ : ବିଜେଡି

ଭୁବନେଶ୍ୱର (ସଂକେତ ଟିଭି) : ରାଜ୍ୟର ବିଜେପି ସରକାର କୃଷକଙ୍କୁ ପ୍ରତାରଣା ଦେଉଛନ୍ତି ବୋଲି ଆଜି ଭୁବନେଶ୍ୱରଠାରେ ତୀବ୍ର ଅଭିଯୋଗ ଆଣିଲା ବିଜେଡି। ଧାନ କ୍ରୟ ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା ଓ ପ୍ରତିଶ୍ରୁତି ଭଙ୍ଗ ଅଭିଯୋଗରେ ଦଳଟି ସରକାରଙ୍କୁ ଘେରାଉ କରିଛି।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ ସଭାପତି ସଞ୍ଜୟ ଦାସବର୍ମା କହିଲେ ଯେ, ଡବଲ ଇଞ୍ଜିନ ସରକାର ସମସ୍ତ ବିକ୍ରି ଯୋଗ୍ୟ ଅତିରିକ୍ତ ଧାନ କିଣି କୃଷକଙ୍କୁ ଏମଏସପି ଓ ସବସିଡି ମିଶି ୩୧୦୦ ଟଙ୍କା ପ୍ରଦାନ କରିବେ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ। ରାଜ୍ୟର ୧୮ଟି ଜିଲ୍ଲାରେ କୌଣସି ମିଲର ପାଖକୁ ରବି ଧାନ ସଂଗ୍ରହ ପାଇଁ ଏକ ଡ଼୍ରମ୍ ମଧ୍ୟ ଆସି ନାହିଁ।

ସେ ଆଗକୁ କହିଲେ, ୧୯ ଲକ୍ଷ ୬୬ ହଜାର ୧୮୧ ଜଣ କୃଷକ ପଞ୍ଜିକରଣ କରିଥିଲେ ମଧ୍ୟ, ମାତ୍ର ୩ ଲକ୍ଷ ୪୦ ହଜାର ୨୯୪ ଜଣ ଅର୍ଥାତ୍ ପ୍ରାୟ ୧୭ ପ୍ରତିଶତ କୃଷକ ମାତ୍ର ଧାନ ବିକ୍ରି କରିପାରିଛନ୍ତି। ସରକାର ୪ ହଜାର ୮୩ଟି ମଣ୍ଡି ଖୋଲିବା ପାଇଁ ନିଷ୍ପତି ନେଇଥିଲେ ମଧ୍ୟ, ବର୍ତ୍ତମାନ କେବଳ ୧୮୮୩ଟି ମଣ୍ଡି ଚାଲୁଛି।

ମୁଖ୍ୟମନ୍ତ୍ରୀ ଜାନୁଆରୀ ୧୦ ତାରିଖ ମଧ୍ୟରେ ସମସ୍ତ ମଣ୍ଡି ଖୋଲା ଯିବ ଓ ସବୁ ଧାନ ସଂଗ୍ରହ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁରୀ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ମଣ୍ଡି ଖୋଲା ଯାଇନାହିଁ। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଆଜି ପାଣିରେ ଗାର ହୋଇଯାଇଛି। ଟୋକନ ପ୍ରଦାନ, ମଣ୍ଡି ଖୋଲିବା, ଧାନ ଉଠାଣି ଓ ପରିଶୋଧ ପ୍ରକ୍ରିୟାରେ ଅରାଜକତା ଦେଖାଯାଉଛି।

ସଞ୍ଜୟ ଦାସବର୍ମା ଆହୁରି କହିଲେ ଯେ ରାଜ୍ୟରେ ମୋଟ ୭୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଥିବା ବେଳେ ଏଯାଏଁ ମାତ୍ର ୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ଏହାର ବିପରୀତ ଛତିଶଗଡ଼ ରାଜ୍ୟରେ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଲାଣି।

ସେ ଅଭିଯୋଗ କରିଛନ୍ତି ଯେ ଯୋଗାଣ ମନ୍ତ୍ରୀ କେବଳ ୧୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ କିଣିବେ ବୋଲି କହୁଛନ୍ତି ଓ ଅଧିକ ଧାନ ଅନ୍ୟତ୍ର ବିକ୍ରି କରିବାକୁ କୃଷକଙ୍କୁ କହୁଛନ୍ତି। ଜିଓ-ଟ୍ୟାଗ ଓ ସାଟେଲାଇଟ ସର୍ଭେ ନାମକରେ ଯୋଗ୍ୟ କୃଷକଙ୍କୁ ବାଦ ଦିଆଯାଉଛି।

ଏହି ପୃଷ୍ଠଭୂମିରେ ବର୍ତ୍ତମାନ ବରଗଡ଼ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ ଆରମ୍ଭ ହୋଇସାରିଛି। ସଞ୍ଜୟ ଦାସବର୍ମା ସତର୍କ କରାଇ ଦେଇଛନ୍ତି ଯେ ଏହି ଅବ୍ୟବସ୍ଥା ଜାରି ରହିଲେ, ସମଗ୍ର ରାଜ୍ୟରେ ବିଜେଡି ବିରୋଧୀ ଆନ୍ଦୋଳନ ଚଳାଇବ।