ସାରା ରାଜ୍ୟରେ ଭକ୍ତି, ଉତ୍ସାହ ଓ ପାରମ୍ପରିକ ଉଲ୍ଲାସ ସହ ପାଳନ ହେଲା ମକର ପର୍ବ
ଭୁବନେଶ୍ୱର (ସଂକେତ ଟିଭି): ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ ଆଜି ମକର ସଂକ୍ରାନ୍ତି ପର୍ବକୁ ସମଗ୍ର ଓଡ଼ିଶାରେ ଭକ୍ତି, ଉତ୍ସାହ ଓ ପାରମ୍ପରିକ ଉଲ୍ଲାସ ସହ ପାଳନ କରାଯାଇଛି । ସକାଳୁ ସକାଳୁ ମନ୍ଦିର, ନଦୀଘାଟ ଓ ପୀଠସ୍ଥଳୀ ଗୁଡ଼ିକରେ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ପବିତ୍ର ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇ ଦିନର ଆରମ୍ଭ କରିଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ସେମାନେ ଏହି ପର୍ବକୁ କୃଷି ଓ ପ୍ରକୃତି ସହ ଜଡ଼ିତ ଏକ ମହାନ ପରମ୍ପରା ବୋଲି ବର୍ଣ୍ଣନା କରି ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସାମୂହିକ ଏକତାର କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ପାଟଣା ରଘୁନାଥ ଜୀଉ ମଠ ସ୍ଥିତ ବୈତରଣୀ ଘାଟରେ ପବିତ୍ର ମକର ସ୍ନାନ କରିଛନ୍ତି । “ପବିତ୍ର ମକର ସଂକ୍ରାନ୍ତିର ଶୁଭ ଅବସରରେ କେନ୍ଦୁଝରର ପୂଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା । ଆମର ଏହି ମହାନ ଧର୍ମ, ପରମ୍ପରା ଓ ସଂସ୍କୃତିର ସମନ୍ୱୟ ହିଁ ଓଡ଼ିଆ ଅସ୍ମିତାର ପ୍ରକୃତ ପରିଚୟ,” ବୋଲି ମୁଖ୍ୟମନ୍ତ୍ରୀ ନିଜ X ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପୁରୀ ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସହ କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଅନ୍ୟାନ୍ୟ ଜିଲ୍ଲାର ମନ୍ଦିର ଓ ନଦୀତଟରେ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ବୈତରଣୀ, ବ୍ରାହ୍ମଣୀ, ମହାନଦୀ ଓ ଋଷିକୁଲ୍ୟା ନଦୀଘାଟରେ ପବିତ୍ର ସ୍ନାନ ପାଇଁ ଭକ୍ତମାନେ ଭିଡ଼ ଜମାଇଥିଲେ । ସୁରକ୍ଷା ଦୃଷ୍ଟିରୁ ପୋଲିସ, ଅଗ୍ନିଶମ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ନିୟୋଜିତ କରାଯାଇଥିଲା ।
ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ମକର ମେଳା ଆରମ୍ଭ ହୋଇଛି । କିଛି ଜିଲ୍ଲାରେ ପୁରୁଣା ପରମ୍ପରା ଅନୁଯାୟୀ କୁକୁଡ଼ା ଲଢ଼େଇ ଆୟୋଜିତ ହୋଇଥିଲା । ଏହି ମେଳାଗୁଡ଼ିକରେ ଲୋକନୃତ୍ୟ, ଲୋକସଙ୍ଗୀତ, ଯାତ୍ରା, ପାଲା ସହ ସ୍ଥାନୀୟ ହସ୍ତଶିଳ୍ପ ଓ ପିଠାପଣାର ଦୋକାନ ଲୋକଙ୍କୁ ଆକର୍ଷିତ କରିଛି । କଟକ ଓ ଅନ୍ୟାନ୍ୟ ସହରଗୁଡ଼ିକରେ ଗୁଡ଼ି ଉଡ଼ାଇବା ଏକ ପ୍ରମୁଖ ଆକର୍ଷଣ ଥିଲା । ଭୁବନେଶ୍ୱରର ଓଲ୍ଡ ଟାଉନ୍ ଅଞ୍ଚଳରେ ଗୁଡ଼ି ସୁତା ଲାଗି ଜଣେ ମଟରସାଇକେଲ ଆରୋହୀ ଆହତ ହୋଇଥିବା ଘଟଣା ଘଟିଥିଲା ।
ଓଡ଼ିଶାର ଘରେ ଘରେ ଆଜି ପାରମ୍ପରିକ ମକର ଚାଉଳ, ତିଲ-ଗୁଡ଼, ଚୁଡ଼ା, ଖଇ ଓ ବିଭିନ୍ନ ପିଠା ପ୍ରସ୍ତୁତ କରାଯାଇ ପୂଜାର୍ଚ୍ଚନା ପରେ ଆତ୍ମୀୟ-ସ୍ୱଜନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଦାନଧର୍ମ, ଅତିଥି ସେବା ଓ ସାମୁହିକ ଭୋଜନ ଏହି ପର୍ବର ମୁଖ୍ୟ ଆକର୍ଷଣ ରହିଛି ।
