ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ
ଭୁବନେଶ୍ୱର (ସଂକେତ ଟିଭି): ଦଳ ବିରୋଧୀ କାର୍ଯ୍ୟକଳାପର ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ଆଜି ଦୁଇ ଜଣ ନେତାଙ୍କୁ ଦଳରୁ ନିଲମ୍ବନ କରି ଦୃଢ ପଦକ୍ଷେପ ନେଇଛି। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ଅନୁସାରେ ପାଟକୁରା ବିଧାୟକ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଲମ୍ବିତ ହୋଇଛନ୍ତି।
ଏହି ସମ୍ବନ୍ଧରେ ବିଧାନ ସଭାର ବାଚସ୍ପତିଙ୍କୁ ବିଜେଡି ତରଫରୁ ଲିଖିତ ସୂଚନା ଦିଆଯାଇଛି। ଦଳର ସର୍ବୋଚ୍ଚ ନେତାଙ୍କ ଏହି ଦୃଢ ନିଷ୍ପତ୍ତି ପରେ ବିଜେଡି ଭିତରେ କମ୍ପନ ଦେଖାଦେଇଛି। ଏହି ଦୁଇ ନେତାଙ୍କ ଉପରେ ବାରମ୍ବାର ବିଜେଡି ଏବଂ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବାର ଅଭିଯୋଗ ଆସୁଥିଲା।
ବିଜେଡିର ଏହି କାର୍ଯ୍ୟାନୁଷ୍ଠାନ ପ୍ରତି ପ୍ରତିକ୍ରିୟା ଦେଉଥି ଅରବିନ୍ଦ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଦଳ ପାଇଁ କାମ କରିଛନ୍ତି ଏବଂ ଦଳ ବିରୋଧୀ କୌଣସି କାର୍ଯ୍ୟ କରି ନାହାଁନ୍ତି। ତାଙ୍କ ମତେ, କୌଣସି ଦଳ ବିରୋଧୀ କାର୍ଯ୍ୟ ତାଙ୍କ ଜାଣଶୁଣିରେ ଘଟି ନାହିଁ। ସେ ଦାବି କରିଛନ୍ତି ଯେ ସେ ନିଜର ନିଲମ୍ବନ ସମ୍ବନ୍ଧରେ ଗଣମାଧ୍ୟମ ମାଧ୍ୟମରେ ଜାଣିବାକୁ ପାଇଛନ୍ତି।ସେହିଭଳି ସନାତନ କହିଛନ୍ତି ଯେ, ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ। ୧୩ ତାରିଖ ମିଟିଂରେ ମୁଁ ନବୀନଙ୍କ ନାଁ ନେଇନି, ବିରୋଧରେ ମଧ୍ୟ କିଛି କହିନି। ବିଜେଡି ସମୟରେ କେନ୍ଦୁଝର ବିକାଶ ହୋଇନି କହିଥିଲି। ଯଦି ଏତିକିରେ ସସପେଣ୍ଡ କରିବେ ତାହେଲେ ମୁଁ କିଛି କହିପାରିବିନି। ସସପେଣ୍ଡ କରିବା ପୂର୍ବରୁ ଡାକିଥିଲେ ନିଶ୍ଚିତ ଯାଇଥାନ୍ତି। ସସପେଣ୍ଡ କରିବା ପରେ ସଭାପତିଙ୍କୁ ଦେଖା କରିବା ଠିକ ହେବନି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
