FeaturedGeneralLatest

ପୂର୍ବତନ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲଙ୍କୁ ୫ ବର୍ଷ ଜେଲଦଣ୍ଡ

ସିଓଲ (ସଂକେତ ଟିଭି): ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲଙ୍କୁ ତାଙ୍କ ବିଫଳ ସାମରିକ ଆଇନ ପ୍ରଚେଷ୍ଟା ସମ୍ବନ୍ଧୀୟ ମାମଲାରେ ଏକ କୋର୍ଟ ପାଞ୍ଚ ବର୍ଷର ଜେଲ ଦଣ୍ଡ ଦେଇଛନ୍ତି।

ଏହି ମାମଲାରେ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଜାନୁଆରୀ ମାସରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବା ପରେ, ତଦନ୍ତକାରୀଙ୍କୁ ତାଙ୍କ ନିକଟକୁ ପହଞ୍ଚିବାକୁ ବାଧା ଦେବାର ଅଭିଯୋଗ ଆଣାଯାଇଛି। ଅଭିଯୋଗ ଅନୁସାରେ, ଘରେ ରହିଥିବା ବେଳେ ତାଙ୍କ ସୁରକ୍ଷା କର୍ମୀଙ୍କୁ ସେ ତଦନ୍ତକାରୀଙ୍କୁ ପ୍ରବେଶ ନଦେବାର ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ଗିରଫ କରିବା ପାଇଁ ପ୍ରାୟ ତିନି ହଜାରରୁ ଅଧିକ ପୁଲିସ କର୍ମୀଙ୍କୁ ମୋଟାଇବାକୁ ପଡ଼ିଥିଲା। ବର୍ତ୍ତମାନ ତାଙ୍କୁ ଡିଟେନସନ ସେଣ୍ଟରରେ ରଖାଯାଇଛି।

ଏହା ବ୍ୟତୀତ, ସାମରିକ ଆଇନ ଘୋଷଣା କରିବା ସମୟରେ ସରକାରୀ କାଗଜପତ୍ରରେ ଜାଲିଆତି କରିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି। ୟୁନ୍ ଦାବି କରିଥିଲେ ଯେ, ବିରୋଧୀ ଏବଂ ରାଷ୍ଟ୍ରବିରୋଧୀ ଶକ୍ତି ଦ୍ୱାରା ବନ୍ଧା ପଡ଼ିଥିବା ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ଫେରାଇ ଆଣିବାକୁ ସେ ଏହି ପଦକ୍ଷେପ ନେଇଥିଲେ।

ତାଙ୍କ ବିରୋଧରେ ବିଦ୍ରୋହ ପରିକଳ୍ପନାର ମୁଖ୍ୟ ପରିକଳ୍ପକ ହେବାର ଅଭିଯୋଗ ସମେତ ଅନ୍ୟ ଅନେକ ମାମଲା ମଧ୍ୟ ବିଚାରାଧୀନ ରହିଛି। ପବ୍ଲିକ ପ୍ରସିକ୍ୟୁଟରମାନେ କୋର୍ଟକୁ ଏହି ଅଭିଯୋଗରେ ତାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ଏହି ଅଭିଯୋଗ ସମ୍ବନ୍ଧୀୟ ରାୟ ଫେବୃଆରୀ ମାସରେ ଘୋଷିତ ହେବ ବୋଲି ଆଶା କରାଯାଉଛି।