ଗୋ-ମାଫିଆ ବିରୁଦ୍ଧରେ ପୋଲିସର ବଡ ଆକ୍ସନ, ୫ ଜିଲ୍ଲାରେ ରେଡ୍
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ବେଆଇନ ଗୋ-ଚାଲାଣ ବୃଦ୍ଧି ପାଉଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆକ୍ସନ ମୋଡରେ ଓଡିଶା ପୋଲିସ । ଆଜି ‘ଗୋରକ୍ଷା’ ନାମକ ଏକ ବିଶାଳ ଅଭିଯାନରେ ୪୭ଟି ଟିମ୍ ମୁତୟନ କରି ରାଜ୍ୟର ୫ଟି ଜିଲ୍ଲା – କେନ୍ଦୁଝର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଓ ମୟୂରଭଞ୍ଜରେ ଏକ ସମୟରେ ରେଡ୍ ଚଲାଇଛି ।
ଏହି ଅଭିଯାନରେ ଗତକାଲି ରାତିରୁ ଆରମ୍ଭ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ୯ ଜଣ ସନ୍ଦେହୀ ଗୋ-ମାଫିଆ ସଦସ୍ୟଙ୍କୁ ଅଟକ କରାଯାଇଛି । ସେମାନଙ୍କଠାରୁ ୧ କୋଟି ୪୦ ଲକ୍ଷ ଟଙ୍କା ନଗଦ, ୧ କେଜି ସୁନା, ୩ କେଜି ରୁପା, ୧୧ଟି ଚାରି-ଚକିଆ ଗାଡ଼ି, ୧୩ଟି ଦୁଇ-ଚକିଆ ଗାଡ଼ି, ମୋବାଇଲ ଫୋନ୍, ଜାଗା ଜମିର କାଗଜପତ୍ର ଏବଂ ବ୍ୟାଙ୍କ ଖାତା ଆଦି ଜବତ କରାଯାଇଛି । ପୋଲିସ ଅନୁସାରେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତର ପରିସୀମାରେ ଆସିଛି ।
କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର କହିଛନ୍ତି ଯେ, ବିଏନଏସ ଧାରା ୧୦୭ ଅନୁଯାୟୀ ଏହି ସମ୍ପତ୍ତିଗୁଡ଼ିକୁ ଜବତ କରିବା ପାଇଁ ପୋଲିସ କୋର୍ଟଙ୍କ ଦ୍ୱାରସ୍ଥ ହେବ । ଏହି ଅଭିଯାନରେ ୫ ଜଣ ଡେପୁଟି ଏସପି, ୨୫ ଜଣ ଇନ୍ସପେକ୍ଟର, ୩୬ ଜଣ ଏସଆଇ ଓ ଏଏସଆଇ ସମେତ ବ୍ୟାପକ ପୋଲିସ ବାହିନୀ ଲାଗିରିଛନ୍ତି ।
ଗତକାଲି କେନ୍ଦୁଝର ପୋଲିସ ଭଦ୍ରକରେ ଜଣେ ଗୋ-ମାଫିଆ ସନ୍ଦେହୀ ରାଜନଙ୍କ ଘରେ ରେଡ୍ କରିଥିଲା । ରାଜନ ଉପରେ ଜିଲ୍ଲାର ବିଭିନ୍ନ ଥାନାରେ ଗୋ ଚୋରୀ ସମ୍ପର୍କିତ ୧୦ରୁ ଅଧିକ ମାମଲା ରହିଛି । ଏହି ଚଢାଉ ସମୟରେ ତାଙ୍କ ଘରୁ ୭୦ ଲକ୍ଷ ଟଙ୍କା ଏବଂ ସୁନା ଗହଣା ଜବତ କରାଯାଇଥିବା ବେଳେ ଜବତ ଟଙ୍କା ଗଣନା ପାଇଁ ମେସିନ ଲଗାଯାଇଥିଲା । କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ଚାଲିଛି ।
