ନୂଆପଡ଼ା ବିଡିଓଙ୍କୁ ମାଡ; ବ୍ଲକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ
ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ା ଜିଲ୍ଲାରେ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ଉପୁଜିଥିବା ବିବାଦ ଉଗ୍ର ରୂପ ଧାରଣ କରିଛି। ସୋମବାର ସକାଳେ ଜିଲ୍ଲାର ସଦର ବିଡିଓ ରୋହିତ ଭୋଇ ନିଜ ବାସଭବନରୁ କାର୍ଯ୍ୟାଳୟ ଯିବା ପାଇଁ ବାହାରିବା ସମୟରେ କିଛି ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଘଟଣାର ଭିଡିଓ ଫୁଟେଜ୍ ମଧ୍ୟ ବ୍ୟାପକ ଭାବେ ଚର୍ଚ୍ଚିତ ହୋଇଛି।
ଘଟଣାଟି ପୃର୍ବପ୍ଲାନିତ ବୋଲି ଜଣାଯାଉଛି। ନୂଆପଡ଼ା ସଦର ବ୍ଲକ୍ ଅନ୍ତର୍ଗତ ଭଇଁସାତାଲ ପଞ୍ଚାୟତରେ ନୂତନ ପଞ୍ଚାୟତ ଭବନ ନିର୍ମାଣକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ ଚାଲିଥିଲା। ଏହି ବିବାଦରେ ଗତ ଦୁଇ ଦିନ ତଳେ ପଞ୍ଚାୟତବାସୀ ଉଚ୍ଚ ନ୍ୟାୟାଳୟରୁ କାମ ବନ୍ଦ ରହିବା ପାଇଁ ରହିତାଦେଶ ମଧ୍ୟ ଆଣିଥିଲେ। ତଥାପି କାମ ଚାଲିଥିବାରୁ ସୋମବାର ଭୋର୍ରୁ କିଛି ଲୋକ ବିଡିଓଙ୍କ ସହ ଆଲୋଚନା କରିବାକୁ ଆସିଥିଲେ। ସେହି ଆଲୋଚନା ସମୟରେ ହଠାତ୍ କିଛି ଲୋକ ବିଡିଓଙ୍କୁ ଚାପୁଡ଼ା ମାରି ଚାଲିଯାଇଥିଲେ।
ଏହି ଆକ୍ରମଣର ଖବର ପାଇ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବିଡିଓ ରୋହିତ ଭୋଇ ନୂଆପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଆଧାରରେ ନୂଆପଡ଼ା ପୋଲିସ ଏକ ମାମଲା ରଜିଷ୍ଟର କରିଛି ଏବଂ ଏସଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଚଲାଇଛନ୍ତି। ସୂତ୍ରରୁ ଜଣାଯାଏ, ଏଯାଏଁ ୪ ଜଣଙ୍କୁ ଅଟକକରି ପଚରାଉଚରା ଚାଲିଛି।
ବିଡିଓଙ୍କ ଉପରେ ହୋଇଥିବା ଏହି ଆକ୍ରମଣର ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଘଟଣାର ପ୍ରତିବାଦରେ ଓ ଅଭିଯୁକ୍ତଙ୍କୁ ତତକ୍ଷଣାତ୍ ଗିରଫ ଦାବିରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ସଦର ବ୍ଲକ୍ର ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ସରକାରୀ କର୍ମଚାରୀ ଓ ସମିତି ସଭ୍ୟମାନେ ଏକତ୍ରିତ ହୋଇ ଧାରଣାରେ ବସିଛନ୍ତି। ସେମାନେ ବିଡିଓଙ୍କ ଉପରେ ହେଉଥିବା ଆକ୍ରମଣର ନିନ୍ଦା କରି ଶୀଘ୍ର ନ୍ୟାୟ ଦାବି କରୁଛନ୍ତି। ଏହି ସମୟରେ ବ୍ଲକ୍ କର୍ମଚାରୀମାନେ ସମ୍ବେଦନା ପ୍ରଦର୍ଶନରେ ‘କଲମ ଛାଡ଼’ ଆନ୍ଦୋଳନ ମଧ୍ୟ ଚଲାଇଛନ୍ତି।
