୯୫ ହଜାର ଅଫିମ ଗଛ ନଷ୍ଟ କଲା ମୟୁରଭଞ୍ଜ ପୋଲିସ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅଞ୍ଚଳରେ ବେଆଇନ୍ ଅଫିମ ଚାଷ ହେଉଥିବାର ସୂଚନା ପାଇ ପୁଲିସ ଏକ ବିଶାଳ ଯୌଥ ଅଭିଯାନ ଚଳାଇଛି। ଏହି ଅଭିଯାନରେ ପ୍ରାୟ ୯୫ ହଜାରରୁ ଅଧିକ ଅଫିମ ଗଛ ଉପାଡ଼ି ନଷ୍ଟ କରାଯାଇଥିବା ବେଳେ ଏନ୍ଡିପିଏସ୍ ଆକ୍ଟ ଅନ୍ତର୍ଗତ ଦୁଇଟି ମାମଲା ରଜିସ୍ଟର କରାଯାଇଛି।
ଗତ ୧୮ ଜାନୁଆରୀ ତାରିଖରେ ଯଶୀପୁର ଥାନାକୁ ଗୋପନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଷ୍ଟକୁଆର ଗ୍ରାମରେ ଅଫିମ୍ ଚାଷ ହେଉଥିବା ଗୁପ୍ତସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ଥାନା ପୁଲିସ ବନ ବିଭାଗ, ଆବକାରୀ ବିଭାଗ ଏବଂ ଅନ୍ୟ ସଂବନ୍ଧିତ ଅଧିକାରୀଙ୍କ ସହ ମିଶି ଏକ ବିଶାଳ ଯୌଥ ଅଭିଯାନ ଚଳାଇଥିଲେ। ଅଭିଯାନରେ ଗ୍ରାମର ଦୁଇଟି ସ୍ଥାନରେ ବେଆଇନ୍ ଅଫିମ ଗଛ ଚାଷ ଚିହ୍ନଟ କରାଯାଇଥିଲା।
ପ୍ରଥମ ସ୍ଥାନରେ ଗୋପନାଥପୁର ଗ୍ରାମରେ ପ୍ରାୟ ୯୦ ଡେସିମାଲ୍ ଜମିରେ ୭୬,୩୫୦ଟି ଅଫିମ୍ ଗଛ ଆବିଷ୍କୃତ ହୋଇଥିଲା। ଏହି ଗଛଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ କୋଟି ୫୨ ଲକ୍ଷ ୭୦ ହଜାର ଟଙ୍କା ଥିବା ଅନୁମାନ କରାଯାଇଛି। ଦ୍ୱିତୀୟ ସ୍ଥାନରେ ଏହି ଗ୍ରାମରେ ଅଲଗା ଏକ ପ୍ଲଟରେ ପ୍ରାୟ ୧୯ ଡେସିମିଲ୍ ଜମିରେ ଆଉ ୧୯,୫୦୦ଟି ଗଛ ଚାଷ କରାଯାଇଥିବା ଦେଖାଯାଇଥିଲା, ଯାହାର ମୂଲ୍ୟ ପ୍ରାୟ ୩୯ ଲକ୍ଷ ଟଙ୍କା ଥିବା ବିବେଚନା କରାଯାଇଛି। ଏହି ଦୁଇ ସ୍ଥାନରେ ମୋଟ ୯୫,୮୫୦ଟି ଅଫିମ ଗଛ ନଷ୍ଟ କରାଯାଇଛି, ଯାହାର ସର୍ବମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୯୧ ଲକ୍ଷ ୭୦ ହଜାର ଟଙ୍କା ହୋଇଥାନ୍ତା।
ପୁଲିସ ଏହି ସମସ୍ତ ଗଛଗୁଡ଼ିକୁ ଉପାଡ଼ି କିରୋସିନି ଢାଳି ଜଳାଇ ଦେଇଛି। ଏହି ନଷ୍ଟକରଣ କାର୍ଯ୍ୟ ସ୍ୱାଧୀନ ସାକ୍ଷୀ, ଇଏମ୍, ବନ ବିଭାଗ, ଆବକାରୀ ବିଭାଗ ଏବଂ ଆର୍ଆଇଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା। ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି ଏବଂ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂତ୍ର ଜଣାଇଛି।
ମୟୂରଭଞ୍ଜ ଜିଲ୍ଲାରେ ମାଦକ ଦ୍ରବ୍ୟ ଚାଷ ଏବଂ ବ୍ୟବସାୟ ବିରୁଦ୍ଧରେ ଚାଲିଥିବା ପ୍ରତିବନ୍ଧକ ଅଭିଯାନରେ ଏହି ଘଟଣାଟି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଚିହ୍ନିତ ହୋଇଛି। ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଜରିଆରେ ଏହିପରି ବେଆଇନ୍ କାର୍ଯ୍ୟକଳାପ ଉପରେ କଠୋର ନିଅଣା ଜାରି ରହିବ ବୋଲି ଆଶା କରାଯାଉଛି।
