FeaturedLatestNews

ଏପ୍ରିଲ ୧୬ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ଆଗାମୀ ଜନଗଣନା ଦ୍ୱି ପର୍ଯ୍ୟାୟରେ ସମ୍ପନ୍ନ ହେବ । ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ୩୦ ଦିନ ଧରି ଘର ଓ ଆସବାବପତ୍ର ଗଣନା (House Listing and Housing Census) କାର୍ଯ୍ୟ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା (Population Enumeration) ଆଗାମୀ ୨୦୨୭ ମସିହାର ଫେବୃଆରି ମାସରେ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଘର ସହ ସେଥିରେ ଥିବା ମୌଳିକ ସୁବିଧା ଚିହ୍ନଟ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ କରାଯିବ ପ୍ରତ୍ୟେକ ବ୍ୟକ୍ତିର ବିବରଣୀ ସଂକଳନ ।

ଜନଗଣନାର ବିଶାଳ କାର୍ଯ୍ୟ ସମ୍ପାଦନ ପାଇଁ ରାଜ୍ୟରେ ପ୍ରାୟ ଏକ ଲକ୍ଷ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ । ପ୍ରତି ୨୦୦ ଘର ପାଇଁ ଜଣେ ଅଧିକାରୀ ଦାୟିତ୍ୱରେ ରହିବେ । ପ୍ରତି ୬ ଜଣ ଅଧିକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ । ପ୍ରତ୍ୟେକ ଜନଗଣନା ଅଧିକାରୀଙ୍କୁ ୨୫,୦୦୦ ଟଙ୍କା ଆର୍ଥିକ ପ୍ରେରଣା ଦିଆଯିବ ।

ରାଜ୍ୟ ସରକାର ଜନଗଣନା ପାଇଁ ଛଅ ମାସ ଧରି ପ୍ରସ୍ତୁତି ଚାଲିଛି । ଭୁବନେଶ୍ୱର ଓ କଟକରେ ପ୍ରି-ଟେଷ୍ଟ ସମ୍ପନ୍ନ ହୋଇସରିଛି । ନୂତନ ଘୋଷିତ ନଗର ସଂସ୍ଥା (NSC) ଓ ପୌରପାଳିକା ସୀମା ଚୂଡାନ୍ତ ହୋଇଛି । ଆସନ୍ତା ତିନି ମାସ ଧରି ସମସ୍ତ ଜନଗଣନା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ଏଥର ଜନଗଣନାରେ ନାଗରିକଙ୍କ ପାଇଁ ଅନଲାଇନ ସୁବିଧା ରହିବ । ଜଣେ ବ୍ୟକ୍ତି ଚାହିଁଲେ ନିଜେ ଜନଗଣନା ୱେବସାଇଟ୍ ମାଧ୍ୟମରେ ନିଜ ତଥ୍ୟ ପଞ୍ଜିକୃତ କରିପାରିବେ । ଏଥିପାଇଁ ମୋବାଇଲ ନମ୍ବର ବ୍ୟବହାର କରାଯାଇ ଓଟିପି ଆଧାରିତ ପ୍ରମାଣୀକରଣ ହେବ । ଏକ ମୋବାଇଲ ନମ୍ବରକୁ ଦୁଇଥର ବ୍ୟବହାର କରାଯାଇପାରିବ ନାହିଁ ଏବଂ ୟୁଜର୍ମାନେ ଆପ୍ ରୁ ପରଦାର ଫଟୋ (ସ୍କ୍ରିନସଟ) ମଧ୍ୟ ନେଇପାରିବେ ନାହିଁ ।