୨୦୨୭ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ଯିବ ରାସ୍ତା
ଭୁବନେଶ୍ୱର (ସଂକେତ ଟିଭି): ୨୦୨୭ ମସିହା ସୁଦ୍ଧା ରାଜ୍ୟର ଦେଢ ଶହରୁ ଅଧିକ ଜନସଂଖ୍ୟା ଥିବା ସମସ୍ତ ଗାଁକୁ ରାସ୍ତା ସଂଯୋଗ ପ୍ରଦାନ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ସୂଚନା ଦେଇଛନ୍ତି । ଆସନ୍ତା ତିନି ମାସ ମଧ୍ୟରେ ଶତ ପ୍ରତିଶତ ବଜେଟ୍ ଖର୍ଚ୍ଚ କରିବାକୁ ସମ୍ବନ୍ଧିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମନ୍ତ୍ରୀ ନାଏକ କହିଛନ୍ତି ଯେ, ବଜେଟ୍ ଖର୍ଚ୍ଚ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା କରାଯାଇଛି ଏବଂ ଏହି ସମୀକ୍ଷା ପରେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ୨୦୨୭ ସୁଦ୍ଧା ୭୫ ହଜାରରୁ ଅଧିକ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେ ଆଗକୁ କହିଛନ୍ତି ଯେ, ବର୍ତ୍ତମାନ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ହୋଇଥିବା ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ ଅଛି । ଗତ ସରକାର ଅମଳରେ ୯୨ଟି ପୂର୍ଣ୍ଣ କରାଯାଇନଥିବା ସେତୁ (ବ୍ରିଜ୍) ପାଇଁ ଆପ୍ରୋଚ ରୋଡ୍ ନଥିବା ଅବସ୍ଥା ଥିଲା, ଯାହାକୁ ବର୍ତ୍ତମାନର ସରକାର ଦ୍ରୁତ ଗତିରେ ସମାଧାନ କରିଆସୁଛନ୍ତି ।
ସରକାର ଆସିବା ପରଠାରୁ ଏପରି ୫୦ଟି ସେତୁ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇସାରିଛି । ଏବେକାର ବଜେଟ୍ ଖର୍ଚ୍ଚ ହାର ୫୩ ପ୍ରତିଶତ ଥିବା ବେଳେ, ଆସନ୍ତା ତିନି ମାସରେ ଏହାକୁ ୧୦୦ ପ୍ରତିଶତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।
