ଅଟୋକୁ ଧକ୍କା ଦେଲା ହାଇୱା, ୩ ଜଣ ଗୁରୁତର ଆହତ
ବାଲିଆପାଳ (ଉମାକାନ୍ତ ନାୟକ ): ବାଲେଶ୍ୱର ଜିଲ୍ବାର ଜଳେଶ୍ୱର ସହରରେ ଏକ ଦୁର୍ଘଟଣାରେ ତିନିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାଟି ଆଜି ଭୋର ସମୟରେ ଟାଉନ ହାଇସ୍କୁଲ ସମ୍ମୁଖରେ ଘଟିଥିଲା।
ସୂଚନା ଅନୁଯାୟୀ, ପଶ୍ଚିମ ବଙ୍ଗର ବରିଙ୍ଗ ଅଞ୍ଚଳରୁ OD01K1741 ନମ୍ବର ଯାତ୍ରୀବାହୀ ଅଟୋ ଏକଟି ଚାରିଜଣ ଯାତ୍ରୀ ସହ ଜଳେଶ୍ୱର ରେଳଷ୍ଟେସନ ଆଡ଼କୁ ଯାଉଥିବା ବେଳେ, ଏକ ଦ୍ରୁତଗାମୀ ବାଲି ବୋଝେଇ ହାଇୱା ଏହାକୁ ସାମନା ପଟରୁ ଜୋରରେ ଧକ୍କା ମାରିଥିଲା। ଧକ୍କାର ଜୋରରେ ହାଇୱାଟି ଘଟଣା ସ୍ଥଳରୁ ଚମ୍ପଟ ମାରି ପଳାଇଥିଲା।
ଦୁର୍ଘଟଣାରେ ଅଟୋରେ ଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ସ୍ଥିତ ଜିକେ ଭଟ୍ଟର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ଆହତମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ରାସ୍ତା ରୋକ କରି ରାସ୍ତାରେ ବାଲି ଗାଡ଼ି ଯିବାକୁ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ବିରୋଧରେ ଉଭୟ ପଟରେ ଅନେକ ଯାନବାହନ ଅଟକି ରହିଛି।
ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଘଟଣାର ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି। ଚମ୍ପଟ ମାରିଥିବା ହାଇୱା ଗାଡ଼ି ଚାଳକକୁ ଖୋଜିବା ପାଇଁ ପୋଲିସ ତଲାଶ କାର୍ଯ୍ୟ ଚଳାଇଛନ୍ତି।
