FeaturedLatestNews

ହିତାଧିକାରୀଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟର ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଭଦ୍ରା ଯୋଜନାର କିସ୍ତି ବାଣ୍ଟିଛନ୍ତି। ଏଥିରେ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପହଞ୍ଚିଛି। ହିତାଧିକାରୀଙ୍କ ଖାତାକୁ ଏଯାଏଁ ମୋଟ ୩୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣ ହିତାଧିକାରୀ ଏଥିରୁ ପ୍ରଥମ କିସ୍ତି ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ଯେଉଁମାନେ ବାଦ ପଡ଼ିଥିଲେ, ସେମାନଙ୍କୁ ମଧ୍ୟ ଟଙ୍କା ମିଳିଛି। ସେହିପରି ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଏକକାଳୀନ ଭାବେ ଦୁଇଟି କିସ୍ତିର ଟଙ୍କା ଦିଆଯାଇଛି। ଅଭିଯୋଗ ଶୁଣାଣି ପରେ ଅନ୍ୟ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ମଧ୍ୟ ଏହି ସୁବିଧା ମିଳିଛି।

ମୁଖ୍ୟମନ୍ତ୍ରୀ ମାଝୀ ଦୃଢ଼ଭାବେ କହିଛନ୍ତି ଯେ କୌଣସି ଯୋଗ୍ୟ ମହିଳା ସୁଭଦ୍ରା ଯୋଜନାର ସୁବିଧାଠାରୁ ବଞ୍ଚିତ ହେବେ ନାହିଁ। ଆଜି ଟଙ୍କା ବାଣ୍ଟନି ପରେ ଦେଶାୟ କରିଥିବା ପ୍ରତିକ୍ରିୟାରେ ସେ କହିଛନ୍ତି, “ଆଗାମୀ ସମୟରେ ମଧ୍ୟ ଯଦି କୌଣସି ଅଭିଯୋଗ ଆସେ, ଯୋଗ୍ୟତା ନେଇ ଯଥାଯଥ ଯାଞ୍ଚ କରାଯାଇ ହିତାଧିକାରୀଙ୍କୁ ତାଲିକା ସହିତ ଯୋଡ଼ା ଯିବ।”

ସେ ଆହୁରି କହିଛନ୍ତି ଯେ ମହିଳାଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ବିନା ରାଜ୍ୟର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ। ପୂର୍ବତନ ସରକାର ମହିଳାଙ୍କ ଆର୍ଥିକ ଉନ୍ନତି ଦିଗରେ ଉଚିତ ଧ୍ୟାନ ଦେଇନଥିବା ବେଳେ କେବଳ ରାଜନୀତିକରଣ କରିଥିଲେ। ସୁଭଦ୍ରା ଯୋଜନାକୁ ସେ ଭାରତର ସ୍ୱାଧୀନତା ପରଠାରୁ ସବୁଠୁ ବଡ଼ ମହିଳା-କଲ୍ୟାଣମୂଳକ ଯୋଜନା ବୋଲି ଆଖ୍ୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଯୋଜନାକୁ ପସନ୍ଦ କରି ନିଜ ଜନ୍ମଦିନରେ ଓଡ଼ିଶାରେ ଏହାର ଶୁଭାରମ୍ଭ କରିଥିଲେ।