ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କ କଟକ ଗସ୍ତ, ନେତାଜୀ ଜୟନ୍ତୀରେ ଯୋଗଦାନ
କଟକ (ସଂକେତ ଟିଭି): ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଆଜି ଭବ୍ୟ ସ୍ୱାଗତ ସମାରୋହ ମଧ୍ୟରେ କଟକ ସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ବାସଭବନରେ ପହଞ୍ଚିଥିଲେ । ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଭବନରେ ପହଞ୍ଚି ସଂଗ୍ରହାଳୟ ବୁଲି ଦେଖିଛନ୍ତି, ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ।
ଏହି ଦିନ ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରହାଳୟରେ ପାଳିତ ‘ପରାକ୍ରମ ଦିବସ’ ଉତ୍ସବରେ ଉପରାଷ୍ଟ୍ରପତି ବରେଣ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଆଜି ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟପାଳଙ୍କଦ୍ୱାରା ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ନେତାଜୀ ସଂଗ୍ରହାଳୟରେ ନୂତନ ଆଇଏନଏ ଫିଲାଟେଲି ଗ୍ୟାଲେରୀ ଉନ୍ମୋଚନ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀର ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି । ଏହି ଅବସରରେ ରାଜ୍ୟପାଳ ଡ. ହରିବାକୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିବାର କଥା ।
ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ସଂଗ୍ରହାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି, ଯାହା ଆଜି ସକାଳ ୭ଟାରୁ ଦି ଦିନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଲାଗୁ ରହିବ । ସଂସ୍କୃତି ଭବନର ଉଦ୍ଘାଟନ ସହିତ ଆୟୋଜିତ ସମାରୋହରେ ଉପରାଷ୍ଟ୍ରପତି ବକ୍ତବ୍ୟ ଦେଇଛନ୍ତି ।
