FeaturedLatestNews

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର (ସଂକେତ ଟିଭି): ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସକାଳ ୮.୨୮ ରେ ମହାତ୍ମାଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଆରକ୍ଷୀ ମହାନିର୍ଦ୍ଦେଶକ ୱା. ବି. ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ବିକ୍ରମ ସିଂହ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେଡ୍‌ କମାଣ୍ଡାଣ୍ଟ ରାକେଶ କୁମାର ସାହୁ ପ୍ୟାରେଡ୍‌ ପରିଚାଳନା କରିଥିଲେ, ଅନ୍ୟ ଅଧିକାରୀମାନେ ସହାୟତା କରିଥିଲେ ।

ରାଜ୍ୟ ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୭ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୯ଟି ବେସାମରିକ ଦଳ ସମୁଦାୟ ୪୬ଟି ଦଳ ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ସମ୍ମିଳିତ ପ୍ୟାରେଡ୍‌ ଅନୁଷ୍ଠିତ ହେବା ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରଙ୍ଗଶାଳା, ପୁରୀର କଳାକାରମାନେ ‘ସାହିଯାତ’ ପରିବେଷଣ କରିଥିବାବେଳେ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ପରିଷଦ, ଗଞ୍ଜାମ ପକ୍ଷରୁ ‘ପଶୁମୁଖା’, ବୈଦେହୀ କଳା ପରିଷଦ, ପୁରୀ ପକ୍ଷରୁ ‘ବଡ଼ ଘୋଡ଼ା’, ସଂକୀର୍ତ୍ତନ କଳାକାର ଉନ୍ନୟନ ପରିଷଦ, କଟକ ପକ୍ଷରୁ ‘ଦୋଳଯାତ ପଟୁଆର’ ଓ ଶରଣ ମାର୍ଶାଲ କଲଚରାଲ୍‌ ସଂଘ, ମୟୂରଭଞ୍ଜ ପକ୍ଷରୁ ‘ସାନ୍ତାଳୀ’ ନୃତ୍ୟ ପରିବେଷିତ ହୋଇ ଉତ୍ସବକୁ ମନୋମୁଗ୍ଧକର କରିଥିଲା ।

ଏହା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସହ ସଚେତନତାର ବାର୍ତ୍ତା ବହନ କରୁଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ, ବାଣିଜ୍ୟ ଓ ପରିବହନ, ଶକ୍ତି, ମତ୍ସ୍ୟ ଓ ପ୍ରାଣିସମ୍ପଦ, ହସ୍ତତନ୍ତ, ସ୍ୱାସ୍ଥ୍ୟ, ସ୍ୱରାଷ୍ଟ୍ର, ଗୃହନିର୍ମାଣ, ମିଶନ ଶକ୍ତି, ପଞ୍ଚାୟତିରାଜ, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା ।

ଏହି ଭବ୍ୟ ସମାରୋହରେ ରାଜ୍ୟପାଳଙ୍କ ସହଧର୍ମିଣୀ ଜୟଶ୍ରୀ କମ୍ଭମ୍‌ପାଟି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ପ୍ରିୟଙ୍କା ମାର୍ଣ୍ଡି ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ବରିଷ୍ଠ ଶାସନିକ ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଗୁର୍‌ବୀର୍‌ ସିଂ ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀମାନେ ରାଜ୍ୟସ୍ତରୀୟ ପ୍ୟାରେଡ୍‌ କାର୍ଯ୍ୟକ୍ରମରେ ଧାରାବିବରଣୀ ପ୍ରଦାନ କରିଥିଲେ।