FeaturedGeneralLatest

ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବ, ଭାରତ କଲା ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ (ସଂକେତ ଟିଭି): ରାଜଧାନୀର କର୍ତ୍ତବ୍ୟପଥରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ଦୁଇ ଜଣ ବିଦେଶୀ ଅତିଥି—ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟାଙ୍କ ସହ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ଗୃହମନ୍ତ୍ରୀ ଉପସ୍ଥିତ ଥିଲେ।

ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟପଥ ଭାରତୀୟ ସାମରିକ ଶକ୍ତିର ପ୍ରତୀକ ହୋଇଥିଲା। ସେନା, ନୌସେନା ଓ ବାୟୁସେନାର ଜବାନମାନେ ଶୌର୍ଯ୍ୟ ଓ ପରାକ୍ରମର ଅଦ୍ଭୁତ ପ୍ରଦର୍ଶନୀ କରିଥିଲେ। ବାୟୁସେନାର ଫ୍ଲାଇପାଷ୍ଟ୍ ସମେତ ରାଫେଲ୍ ଓ ସୁଖୋଇ-୩୦ ବିମାନର କୌଶଳ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଭାରତୀୟ ସେନା ପ୍ରଥମ ଥରପାଇଁ ‘ବ୍ୟାଟେଲ୍ ଆରେ ଫର୍ମାଟ୍’ ଏବଂ ‘ଅପରେସନ୍ ସିନ୍ଦୂର’ ପ୍ରଦର୍ଶନ କରିଥିଲା। ଏଥିସହ ପ୍ରଥମଥର ପାଇଁ ‘LR-AShM’ ନାମକ ହାଇପରସୋନିକ କ୍ଷେପଣାସ୍ତ୍ରର ପ୍ରଦର୍ଶନ ମଧ୍ୟ ହୋଇଥିଲା।

ସାମରିକ ଶକ୍ତି ପ୍ରଦର୍ଶନ ସହିତ ରାଜ୍ୟ ଓ ବିଭିନ୍ନ ବିଭାଗଗୁଡ଼ିକର ପ୍ରଜ୍ଞାପନ ମେଢ଼ ମଧ୍ୟ କର୍ତ୍ତବ୍ୟପଥରେ ଶୋଭାପାଇଥିଲା। ଏହି ପରେଡ ଆଧୁନିକ ଭାରତର ଉନ୍ନତି, ବିକାଶଶୀଳ ଭାରତର ଦୃଢ଼ ପଦକ୍ଷେପ ଏବଂ ଭାରତୀୟ ପରମ୍ପରା ଓ ସଂସ୍କୃତିର ବିବିଧତାକୁ ଉଜ୍ଜ୍ୱଳ ଭାବରେ ପ୍ରଦର୍ଶନ କରିଥିଲା। ପରେଡ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।