ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ପିଣ୍ଡଦାନ କରି ମହାପ୍ରଭୁଙ୍କୁ କରିବେ ଦର୍ଶନ
ପୁରୀ (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତା ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକଟି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
ବୈଠକରେ ପୁରୀ ଜିଲ୍ଲାପାଳ, ପୁରୀ ଆରକ୍ଷୀ ଅଧିକ୍ଷକ ସହ ଛତିଶା ନିଯୋଗର ସେବାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ମହାପ୍ରଭୁଙ୍କ ନୀତି-କାନ୍ତି ଶୃଙ୍ଖଳିତ ଭାବରେ ପରିଚାଳନା କରାଯିବା ବିଷୟରେ ଏଠାରେ ଆଲୋଚନା ହୋଇଥିଲା।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଁଚିବା ପରେ ଲୋକଭବନ ଯିବେ। ପରଦିନ ସକାଳ ୭ଟା ସୁଦ୍ଧା ପିଣ୍ଡଦାନ କରିବା ପରେ ସେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିବେ। ସକାଳ ୭ଟା ୪୦ ମିନିଟ୍ ସମୟରେ ସିଂହଦ୍ୱାରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ମନ୍ଦିର ପରିଚାଳନା ସମିତି ଓ ଛତିଶା ନିଯୋଗ ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିବେ।
ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ସାତପାହାଚ ନିକଟରେ ପଣ୍ଡିତମାନେ ବେଦ ପାଠ କରିବା ସମୟରେ କେବଳ ପାଳିଆ ସେବାୟତମାନେ ଉପସ୍ଥିତ ରହିବେ। ରାଷ୍ଟ୍ରପତି ୩ ଫେବୃଆରୀ ସନ୍ଧ୍ୟାରେ ପୁରୀ ପହଞ୍ଚି ଲୋକଭବନରେ ରହିବେ ବୋଲି ମଧ୍ୟ ଜଣାଯାଇଛି।
