ଡାହାଣୀ ସନ୍ଦେହରେ ମାଆକୁ କଟୁରୀରେ ହାଣି ହତ୍ୟା କଲା ପୁଅ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାରେ ଅନ୍ଧବିଶ୍ୱାସ ଓ ନିର୍ମମତାର ଏକ ଭୟଙ୍କର ଘଟଣା ଘଟିଛି । ବେତନଟୀ ଥାନା ଅଧୀନ କଲରାଫୁଲିଆ ଗ୍ରାମର ଚୈତନ୍ୟ ସିଂଙ୍କ ପୁଅ ତପନ ସିଂ (୩୩) ଗୁରୁବାର ସକାଳେ ନିଜ ମାଆ ରାଇମାଣି ସିଂ (୬୦)ଙ୍କୁ କଟୁରୀରେ ହାଣି ହତ୍ୟା କରିଛି । ଘଟଣା ପରେ ପୁଲିସ ଅଭିଯୁକ୍ତ ତପନକୁ ଗିରଫ କରିଛି ।
ଘଟଣାର ପୃଷ୍ଠଭୂମି ଅନୁଯାୟୀ, କିଛି ଦିନ ପୂର୍ବରୁ ତପନର ସ୍ତ୍ରୀ ଗୁରୁବାରୀଙ୍କ ଗର୍ଭସ୍ଥ ଶିଶୁଟି ନଷ୍ଟ ହୋଇଯାଇଥିଲା । ଏହି ଘଟଣା ପରେ ସେ ରାଗରେ ନିଜ ବାପଘରକୁ ଚାଲିଯାଇଥିଲେ । ତପନ ଏହି ଶିଶୁ ମୃତ୍ୟୁର କାରଣ ନିଜ ମାଆଙ୍କ ଡାହାଣୀ ସ୍ୱଭାବ ପାଇଁ ବୋଲି ସନ୍ଦେହ କରୁଥିଲା । ଏହି ଅନ୍ଧବିଶ୍ୱାସପୂର୍ଣ୍ଣ ସନ୍ଦେହ ତାକୁ ଏପରି ଉତ୍ତେଜିତ କଲା ଯେ, ସେ ନିଜ ଜନ୍ମଦାତ୍ରୀ ମାଆଙ୍କୁ ହତ୍ୟା କରିବାକୁ ପଛହେଲା ନାହିଁ ।
ଅନ୍ୟ ଏକ ତଥ୍ୟ ଅନୁଯାୟୀ, ତପନ ଜଣେ ନିୟମିତ ମଦ୍ୟପାୟୀ ଥିଲା ଏବଂ ସେ ନିଜ ମାଆଙ୍କ ଦିନମଜୁରି ରୋଜଗାରର ଟଙ୍କା ମଦ ପିଇବା ପାଇଁ ମାଗୁଥିଲା । ଯେତେବେଳେ ମା’ ଟଙ୍କା ଦେବାକୁ ଇଙ୍ଗିତ କରୁନଥିଲେ, ସେତେବେଳେ ତାଙ୍କୁ ପ୍ରହାର କରୁଥିଲା । ଗୁରୁବାର ସକାଳେ ମା’ ପୁଅ ପାଇଁ ରୋଷେଇ କରୁଥିବା ବେଳେ ଟଙ୍କା ମାଗିବା ପରେ ମାଆ ନ ଦେବାରୁ ଏହି ହତ୍ୟା ଘଟିଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି ।
ଖବର ପାଇ ବେତନଟୀ ଥାନା ଅଧିକାରୀ ସସ୍ମିତା ମହାନ୍ତ ଓ ବଡ଼ ଜମବଣୀ ଫାଣ୍ଡି ଅଧିକାରୀ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଏକ ବୈଜ୍ଞାନିକ ଦଳ ମଧ୍ୟ ତଦନ୍ତ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ପୂର୍ବରୁ ତପନ ଉପରେ ତାଙ୍କ ସ୍ତ୍ରୀଙ୍କୁ ପ୍ରହାର କରିବାର ଅଭିଯୋଗ ମଧ୍ୟ ରହିଥିବା ବର୍ଣ୍ଣନା କରାଯାଇଛି ।
ଏହି ଘଟଣା ସମାଜରେ ବ୍ୟାପ୍ତ ଅନ୍ଧବିଶ୍ୱାସ, ମଦ୍ୟପାନ ଏବଂ ପାରିବାରିକ ହିଂସାର ଏକ ମାର୍ମିକ ଚିତ୍ର ପ୍ରସ୍ତୁତ କରେ । ଯେଉଁ ମାଆ ପୁଅର ଜନ୍ମ ପାଇଁ ଓଷା ବ୍ରତ କରନ୍ତି, ସେହି ପୁଅ ମାଆଙ୍କ ଜୀବନ ନେବାକୁ ହିଁ ପଛାଏ ନାହିଁ ବୋଲି ଏହି ଘଟଣା କହି ଦେଇଛି ।
