FeaturedGeneralLatest

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହିନ୍ଦୁ ହେବାର ପ୍ରମାଣ ମାଗିଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରୟାଗରାଜ ମାଘ ମେଳା ଛାଡିବା ଘଟଣା ପରଠାରୁ ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରକାର ଉପରେ ଟାର୍ଗେଟ କରୁଛନ୍ତି । ବାରାଣସୀରେ ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସିଧାସଳଖ ଆହ୍ୱାନ ଦେଇ କହିଛନ୍ତି, ‘ମୋତେ ଶଙ୍କରାଚାର୍ଯ୍ୟ ହେବାର ପ୍ରମାଣ ମାଗାଯାଇଥିଲା ଓ ମୁଁ ତାହା ପ୍ରଦାନ କରିଥିଲି। ଏବେ ମୁଖ୍ୟମନ୍ତ୍ରୀଙ୍କୁ ହିନ୍ଦୁ ବୋଲି ପ୍ରମାଣ ଦେବା ଉଚିତ।’

ସେ ମୁଖ୍ୟମନ୍ତ୍ରୀଙ୍କୁ ୪୦ ଦିନର ଚୁକ୍ତି ଦେଇ କହିଛନ୍ତି, ‘ଏହି ସମୟ ମଧ୍ୟରେ ଆପଣ ଜଣେ ଗୋ-ଭକ୍ତ ବୋଲି ପ୍ରମାଣ ଦିଅନ୍ତୁ। ନଚେତ୍ ଆପଣ ଜଣେ ନକଲି ହିନ୍ଦୁ, କପଟୀ ବୋଲି ବିବେଚିତ ହେବେ। କେବଳ ପ୍ରଦର୍ଶନ ପାଇଁ ଗେରୁଆ ପୋଷାକ ପିନ୍ଧିଛନ୍ତି।’ ଶଙ୍କରାଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ଗୋହତ୍ୟା ନିଷେଧ ଦାବି କରୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଓ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ ଆକ୍ରମଣ କରୁଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି, ‘ଯଦି ଆପଣ ପ୍ରକୃତ ହିନ୍ଦୁ, ତେବେ ଗୋ-ମାତାଙ୍କୁ ରାଜ୍ୟ ମାତା ଘୋଷଣା କରନ୍ତୁ। ଉତ୍ତର ପ୍ରଦେଶରୁ ଗୋମାଂସ ରପ୍ତାନି ସମ୍ପୂର୍ଣ୍ଣ ଭାବେ ବନ୍ଦ କରନ୍ତୁ, ନଚେତ୍ ଆପଣଙ୍କୁ ଅଣହିନ୍ଦୁ ଘୋଷଣା କରାଯିବ।’ ସେ କହିଛନ୍ତି ଯେ ରାଜ୍ୟର ଗୋମାଂସ ସାରା ବିଶ୍ୱରେ ବିକ୍ରି ହେଉଛି ଏବଂ ଏହାକୁ ୪୦ ଦିନ ମଧ୍ୟରେ ବନ୍ଦ କରିବା ହେବ ମୁଖ୍ୟମନ୍ତ୍ରୀଙ୍କ ହିନ୍ଦୁତ୍ୱର ପ୍ରମାଣ।

ଶଙ୍କରାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ସମସ୍ତ ସନ୍ଥ, ମହନ୍ତ ଓ ଆଚାର୍ଯ୍ୟମାନେ ମାର୍ଚ୍ଚ ୧୦-୧୧ ତାରିଖରେ ଲକ୍ଷ୍ନୌରେ ଏକତ୍ରିତ ହେବେ। ସେଠାରେ ନିଷ୍ପତ୍ତି ହେବ କିଏ ପ୍ରକୃତ ହିନ୍ଦୁ ଏବଂ କାହାକୁ ‘ନକଲି ହିନ୍ଦୁ’ ଘୋଷଣା କରାଯିବ। ସେ କହିଛନ୍ତି, ‘ଏବେ ନକଲି ହିନ୍ଦୁମାନଙ୍କ ପର୍ଦ୍ଦାଫାସ କରିବାକୁ ପଡିବ। ସମସ୍ତ ହିନ୍ଦୁ ଏକ ବଡ଼ ପ୍ରତାରଣାର ଶିକାର, ଯାହା ଜଣେ ଗେରୁଆ ପୋଷାକ ପିନ୍ଧିଥିବା ବ୍ୟକ୍ତି ଦ୍ୱାରା କରାଯାଉଛି।’

ମାଘ ମେଳା ଛାଡିବା ପରେ ଶଙ୍କରାଚାର୍ଯ୍ୟ ଦାବି କରିଛନ୍ତି ଯେ ପ୍ରଶାସନ ତାଙ୍କୁ ପ୍ରଲୋଭିତ କରିବା ଚେଷ୍ଟା କରିଥିଲା। ସେ କହିଛନ୍ତି, ‘ସେମାନେ କହୁଥିଲେ ଯଦି ଆମେ ସ୍ନାନ କରିବୁ, ତେବେ ଫୁଲ ବର୍ଷା କରାଯିବ ଏବଂ ଆଗାମୀ ବର୍ଷ ପାଇଁ ବିଶେଷ ପ୍ରୋଟୋକଲ ପ୍ରସ୍ତୁତ କରାଯିବ। ମୁଁ ମନା କରି ଦେଇ କହିଲି ଯେ ଯେଉଁ ସନ୍ୟାସୀଙ୍କୁ ବାଡ଼ିରେ ପିଟାଯାଇଛି, ସେମାନଙ୍କଠାରୁ କ୍ଷମା ମାଗ। କିନ୍ତୁ ପ୍ରଶାସନ ଏଥିପାଇଁ ଆଗକୁ ଆସିଲା ନାହିଁ।’

ଶେଷରେ ସେ ସଚେତନ କରାଇ କହିଛନ୍ତି, ‘ଇତିହାସରେ ପ୍ରଥମ ଥର ପାଇଁ ଜଣେ ଶାସକ ଶଙ୍କରାଚାର୍ଯ୍ୟଙ୍କଠାରୁ ପ୍ରମାଣ ମାଗିଛନ୍ତି। ଯଦି ୪୦ ଦିନରେ ଆମ ଦାବି ମାନା ନଯାଏ, ତେବେ ଆମେ ସନ୍ଥମାନଙ୍କ ସହିତ ଲକ୍ଷ୍ନୌ ଆସିବୁ ଏବଂ ନିନ୍ଦା ଅଭିଯାନ ଆରମ୍ଭ କରିବୁ।’