FeaturedGeneralLatest

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁନେତ୍ର ପାଓ୍ବାର

ମୁମ୍ବାଇ (ସଂକେତ ଟିଭି): ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ଇତିହାସ ସୃଷ୍ଟି କରିଛନ୍ତି । ଗତ ୨୮ ଜାନୁଆରୀରେ ଏକ ବିମାନ ଦୁର୍ଘଟଣାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗର ମାତ୍ର ତିନି ଦିନ ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ମୁମ୍ବାଇସ୍ଥିତ ଲୋକ ଭବନରେ ଆୟୋଜିତ ଏକ ଗମ୍ଭୀର କାର୍ଯ୍ୟକ୍ରମରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପସ୍ଥିତ ଥିଲେ ।

ଶପଥ ଗ୍ରହଣର ପୂର୍ବରୁ, ଏନସିପିର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ, ସୁନୀଲ ତଟକରେ ଓ ଛଗନ ଭୁଜବଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ବର୍ଷା’ରେ ପହଞ୍ଚି ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯିବା ସମ୍ବନ୍ଧୀୟ ଚିଠି ହସ୍ତାନ୍ତର କରିଥିଲେ । ପରେ ଏନସିପି ବିଧାୟକ ଦଳର ବୈଠକରେ ସୁନେତ୍ରାଙ୍କ ନେତୃତ୍ୱ ପ୍ରସ୍ତାବ ଦିଆଯାଇ ଅନୁମୋଦିତ ହୋଇଥିଲା ।

ସୁନେତ୍ରା ପାୱାର ୨୦୨୪ ଲୋକସଭା ନିର୍ବାଚନରେ ବାରାମତୀ ଆସନରୁ ପରାଜିତ ହୋଇଥିଲେ ମଧ୍ୟ ପରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ନୂତନ ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଅନ୍ୟ ଏକ ଘଟଣାକ୍ରମରେ, ଏନସିପି (ଏସପି)ର ନେତା ଶରଦ ପାୱାର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ ତାଙ୍କୁ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ କିମ୍ବା ଆଲୋଚନା କରାଯାଇ ନାହିଁ । ସେ ଆହୁରି କହିଛନ୍ତି ଯେ ଦୁଇଟି ରାଷ୍ଟ୍ରବାଦୀ ଦଳ ୧୨ ତାରିଖରେ ଏକାଠି ହେବେ ବୋଲି ଆଶା କରାଯାଉଛି ।