FeaturedLatestNews

ତିନୋଟି ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ; ୫ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର (ସଂକେତ ଟିଭି): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ନିକଟ ହଳଦିଆପଦର ଓଭରବ୍ରିଜ୍‌ରେ ଶନିବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ସୂଚନା ଅନୁସାରେ, ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ (ଓଡି-୦୭ଜେଡ୍‌-୭୨୫୯) ଦ୍ରୁତ ଗତିରେ ଆଗପଛ ହୋଇ ଯାଉଥିବା ତିନୋଟି ବାଇକ୍‌ ଉପରେ ଚଢ଼ିଯାଇଥିଲା ।

ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଯୋଧ୍ୟାନଗର ଅଞ୍ଚଳର ସୂର୍ଯ୍ୟନାରାୟଣ ପଣ୍ଡା, ଫୁଲ୍‌ଟାର ଜଗନ ନାୟକ, ଦକ୍ଷିଣପୁରର ଶିବରାମ ଜେନା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ମୃତକ ଏବଂ ଗୁରୁତର ଆହତଙ୍କ ପରିଚୟ ଆରମ୍ଭରେ ମିଳିନଥିଲା । ପରବର୍ତ୍ତୀ ସୂଚନାରେ କନିଷି ବ୍ଲକ ଫୁଲଟା ଗ୍ରାମର ଜଗନ ନାହାକ (୨୦) ଓ ରାକେଶ ନାହାକ (୨୦), ବ୍ରହ୍ମପୁର ଅଯୋଧ୍ୟନଗର ସୂର୍ଯ୍ୟନାରାୟଣ ପଣ୍ଡା (୨୫), ପାରତ୍ରପୁର ବ୍ଲକର ଶିବରାମ ପଣ୍ଡା ଓ ଗଞ୍ଜାମ ସାମସିଙ୍ଗିର ସତ୍ୟ ବେଜ ଆହତ ହୋଇଥିବା ଖବର ମିଳିଛି ।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ପଳାୟନ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲ କଲେଜ ହସପିଟାଲକୁ ପଠାଯାଇଛି । ଗଞ୍ଜାମ ଜିଲ୍ଲା ପରିବହନ ଅଧିକାରୀ ଦେବାଶିଷ ସ୍ବାଇଁ କହିଛନ୍ତି ଯେ ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଏହି ଦୁର୍ଘଟଣାର କାରଣ ବୋଲି ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।