ରେଳ ବଜେଟ୍ ରେ ଓଡ଼ିଶା ପାଇଁ ୧୦,୯୨୮ କୋଟି ଟଙ୍କାର ଅନୁଦାନ
ଭୁବନେଶ୍ୱର(ସଂକେତ ଟିଭି): ଚଳିତ ବର୍ଷର ରେଳ ବଜେଟରେ ଓଡ଼ିଶାପାଇଁ ରେକର୍ଡ୍ ୧୦ ହଜାର ୯୨୮ କୋଟି ଟଙ୍କା ଅନୁଦାନ ମିଳିଛି। ଗତ ବର୍ଷ ୧୦,୫୯୯ କୋଟି ମିଳିଥିବା ବେଳେ ଏହା ତାହାଠାରୁ ଅଧିକ। କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସ୍ ଓଡ଼ିଶା ଉପରେ ଅଛି। ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟକୁ ଏକ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।
ଇଷ୍ଟ-ୱେଷ୍ଟ କରିଡର ଓଡ଼ିଶା ଦେଇ ଗତି କରିବ ବୋଲି ବୈଷ୍ଣବ ଜଣାଇଛନ୍ତି। ଏହି କରିଡର ଓଡ଼ିଶାରୁ ଛତିଶଗଡ଼, ମହାରାଷ୍ଟ୍ର ଓ ଗୁଜରାଟକୁ ଯାଇଥିବ। ଏହା ରାଜ୍ୟର ଶିଳ୍ପ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଗତ ୧୧ ବର୍ଷରେ ଓଡ଼ିଶାରେ ୨,୨୦୦ କିଲୋମିଟର ନୂଆ ରେଳ ଟ୍ରାକ୍ ତିଆରି ହୋଇଛି, ଯାହା ସମଗ୍ର ମାଲେସିଆ ଦେଶର ଟ୍ରାକ୍ଠାରୁ ଅଧିକ।
ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ରୋକିବା ପାଇଁ ରେଳ ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅପ୍ଟିକାଲ ଫାଇବର କେବୁଲ ଲଗାଯିବ ଏବଂ ଆଗାମୀ ଛଅ ମାସ ମଧ୍ୟରେ କୃତ୍ରିମ ବୁଦ୍ଧିମତା (AI) ଆଧାରିତ ଥର୍ମାଲ କ୍ୟାମେରା ସ୍ଥାପନ କରାଯିବ। ସାରା ଦେଶରେ ୨୦୦ଟି ସ୍ଥାନରେ ଅଣ୍ଡରପାସ ନିର୍ମାଣ ହେବ।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ୨୦୨୬ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି ରେଳ ମନ୍ତ୍ରୀ ଜଣାଇଛନ୍ତି। ୨୨୬ କିଲୋମିଟର ରେଳ ଲାଇନ ତିଆରି ସରିଛି ଏବଂ ବାକି ୭୫ କିଲୋମିଟର ଲାଇନ ପାଇଁ ଆବଶ୍ୟକ ୭ଟି ଟନେଲର କାମ ଶେଷ ପର୍ଯ୍ୟାୟରେ ଅଛି। ରାଜ୍ୟରେ ୬ଟି ଅମୃତ ଷ୍ଟେସନର କାର୍ଯ୍ୟ ସମାପ୍ତ ହୋଇସାରିଲାବେଳେ, ପାରଳାଖେମୁଣ୍ଡି, ତାଳଚେର ଓ ବରପାଲି ଷ୍ଟେସନର ନବୀକରଣ କାମ ମଧ୍ୟ ସରିଛି। ଅନ୍ୟ ଷ୍ଟେସନଗୁଡ଼ିକର ନବୀକରଣ ୨୦୨୬ ଡିସେମ୍ବର ସୁଦ୍ଧା ସାରିବାର ଲକ୍ଷ୍ୟ ରଖାଯାଇଛି।
ଗତ ବର୍ଷ ପୂର୍ବ ଉପକୂଳ ରେଳ ବିଭାଗକୁ ମିଳିଥିବା ଅର୍ଥରୁ ୮୮% ଖର୍ଚ୍ଚ ହୋଇସାରିଛି, ଓଡ଼ିଶାରେ ଏହି ଖର୍ଚ୍ଚ ହାର ୯୧%। ରାଜ୍ୟରେ ବର୍ତ୍ତମାନ ୬ଟି ବନ୍ଦେ ଭାରତ ଓ ୬ଟି ଅମୃତ ଭାରତ ଟ୍ରେନ୍ ଚାଲୁଛି। ରେଳ ବିଭାଗ ପାଖରେ ରାଜ୍ୟରେ ୯୦,୬୫୯ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲିଛି।
