ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ
ବ୍ରହ୍ମପୁର (ସଂକେତ ଟିଭି): ଗଞ୍ଜାମର ମା ତାରାତାରିଣୀ ପୀଠରୁ ଶୁଭାରମ୍ଭ ହେଲା ରାଜ୍ୟବ୍ୟାପୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଐତିହାସିକ ଯୋଜନାର ଶୁଭାରମ୍ଭ କରି ଶତାଧିକ ନବଦମ୍ପତିଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ବିବାହ ପାଇଁ ରାଜ୍ୟ ସରକାର ୬୦ ହଜାର ଟଙ୍କା ବ୍ୟୟ କରିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଜଣେ ପିତା ଏବଂ ଭାଇ ଭାବରେ ଏହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା ଏବଂ ଯୌତୁକ ପ୍ରଥା ଲୋପ କରିବାରେ ଏହି ଯୋଜନା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତ୍ୟେକ ପରିବାରରୁ ଜଣେ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଯୋଜନା ଅନ୍ତର୍ଗତ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ୪୫ ହଜାର ଟଙ୍କା ପଠାଯିବ। ଏହା କେନ୍ଦ୍ର ସରକାରଙ୍କ ‘ବେଟି ବଞ୍ଚାଓ, ବେଟି ପଢ଼ାଓ’ ଅଭିଯାନର ଏକ ପ୍ରତିଛବି ଭାବରେ କାର୍ଯ୍ୟ କରିବ।
ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ବଜେଟ ୨୦୨୬ରେ ମହିଳା ବିକାଶ ଓ ସୁରକ୍ଷା ପାଇଁ ୯ ଲକ୍ଷ କୋଟି ଟଙ୍କାର ଅଟକଳକୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବଜେଟରେ ମହିଳାଙ୍କ ପାଇଁ ୯.୪ ପ୍ରତିଶତ ବ୍ୟୟ ଅଟକଳ ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ଅନଗ୍ରସର ଝିଅମାନଙ୍କୁ ଉପକୃତ କରି ପିତାମାତାଙ୍କ ଆର୍ଥିକ ବୋଝ ହ୍ରାସ କରିବ। ସେହିପରି ‘ସୁଭଦ୍ରା’ ଯୋଜନା ସହିତ ଏହା ମିଶି ମହିଳାଙ୍କୁ ଅଧିକ ସଶକ୍ତ କରିବ ଏବଂ ସମାଜରେ ସୁଧାର ଆଣିବ। ଏହା ଏକ ଆଶୀର୍ବାଦ ସଦୃଶ ହୋଇ ଝିଅମାନେ ଆଉ ପିତାମାତାଙ୍କ ପାଇଁ ବୋଝ ହୋଇ ରହିବେ ନାହିଁ ବୋଲି ସେ ମତ ଦେଇଛନ୍ତି।
